ଏଣିକି ସରକାରୀ କାର୍ଯ୍ୟ କରିବେ ଏସ୍‌ଏଚ୍‌ଜି ସଦସ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) କରିବେ । ଏ ନେଇ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ମୁତାବକ ଏସଏଚଜି ଗୃପ ମହିଳାମାନେ ସରକାରଙ୍କ ବିଭିନ୍ନ ବିଭାଗ କାର୍ଯ୍ୟ କରିବେ । ତେବେ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଅଙ୍ଗନୱାଡି ପିଲାଙ୍କ ଡ୍ରେସ ତିଆରି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆସୁଥିବା ବିଭିନ୍ନ ପିଡିଏସ୍‌ ସାମଗ୍ରୀ ବଣ୍ଟନ, କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ବିହନ ବିକ୍ରୟ ପାଇଁ ଏସ୍‌ଏଚ୍‌ଜିମାନେ ଡିଲର ଭାବେ କାର୍ଯ୍ୟ କରିପାରିବେ ।

ସେହିପରି ଶକ୍ତି ବିଭାଗ ଅଧୀନରେ ମିଟର ରିଡିଂ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ବୃକ୍ଷରୋପଣ କାର୍ଯ୍ୟ ମଧ୍ୟ ସ୍ବୟଂ ସହାୟିକାମାନେ କରିପାରିବେ । 

ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟରେ ହେବାକୁ ଥିବା ୧୦,୦୦୦ କିମି ରାସ୍ତା ନିର୍ମାଣ ତଦାରଖ କାର୍ଯ୍ୟ ମଧ୍ୟ ଏସ୍‌ଏଚ୍‌ଜି ଗୃପ ଦ୍ବାରା ପରିଚାଳନା କରାଯିବ । ଏହା ବ୍ୟତୀତ ଜିଲାପାଳ ଚାହିଁଲେ ଅନ୍ୟ ବିଭାଗର ଯେ କୌଣସି ଦାୟିତ୍ୱ ଏସ୍‌ଏଚ୍‌ଜି ମାନଙ୍କୁ ପ୍ରଦାନ କରିପାରିବେ ।

Leave a comment