ଏସପି ଅଫିସ ଆଗରୁ ସିରିଜ୍ ଲୁଟ୍, ପୋଲିସର କାର୍ଯ୍ୟଦକ୍ଷତାକୁ କରୁଛନ୍ତି ଚାଲେଞ୍ଜ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାରେ ସଟର ଭଙ୍ଗା ଚୋର ସକ୍ରିୟ ହୋଇଛନ୍ତି । ଖୋର୍ଦ୍ଧା ସହରର ୯ଟି ଦୋକାନ, ବାଣପୁର ଓ ନିରାକାରପୁର ଥାନା ଅଞ୍ଚଳରୁ ଚୋରି ପରେ ବେଗୁନିଆ ଥାନା ବଡବେରଣାର ଲୁଗା ଦୋକାନ ଓ ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥର ଚଣ୍ଡିଚୂଆ ଶରଧାପୁର ରୋଡରେ ସିରିଜ୍‌ ଚୋରି ହୋଇଥିଲା । ଖୋର୍ଦ୍ଧା ସହର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ନୂଆସାହିସ୍ଥିତ ଶରଧାପୁର ତରତୁଆ ବଜାରର ୬ଟି ଦୋକାନରୁ ସଟର ଭାଙ୍ଗି ସିରିଜ୍‌ ଚୋରି ହୋଇଛି । ଯାହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଚୋରମାନେ ବୁଧବାର ବିଳମ୍ବିତ ରାତିରେ ଏସପି ଅଫିସ ପାଖ ଏମ.ଡି. ଆଲ୍ଲାଉଦ୍ଦିନଙ୍କର ସିଫା ମେଡିସିନ୍‌ ଷ୍ଟୋର, ମାଷ୍ଟର ଟେଲର, ବାବୁ ତେଜରାତି ଦୋକାନ ଓ ମେଡିକାଲ ରୋଡର ଏସଡିପିଓ ଅଫିସ ନିକଟ ଗୋରା ଚପଲ ଦୋକାନ ଓ ମା ଷ୍ଟେସନାରୀ ଷ୍ଟୋର ସମେତ ୬ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଛନ୍ତି । ଦୁର୍ବୁତ୍ତମାନେ ସବୁ ଦୋକାନର କ୍ୟାସ ବକ୍ସରୁ ଟଙ୍କା ନେଇ ଯାଇଥିବାବେଳେ ସ୍ବଳ୍ପ ଦୋକାନ ଉପକରଣ ଚୋରାଇ ନେଇଛନ୍ତି । ବଡବେରଣାର ଅକ୍ଷୟ ନାୟକଙ୍କର ଲୁଗା ଦୋକାନରୁ ପ୍ରାୟ ୧୫ ହଜାର ଟଙ୍କାର ପ୍ୟାଣ୍ଟସାର୍ଟ କପଡା ଓ ଦାମି ଲୁଗାଚୋରି ହୋଇଛି । ଅଭିଯୋଗ ପରେ ଖୋର୍ଦ୍ଧା ଟାଉନ ଓ ବେଗୁନିଆ ଥାନା ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ କରି ଚୋରିର ତଦନ୍ତ ଚଳାଇଛି ।

Leave a comment