ବିଜେଡ଼ିରେ ଯୋଗ ଦେବାକୁ ରାଜଧାନୀରେ ପହଞ୍ଚିଲେ ବରିଷ୍ଠ ବିଜେପି ନେତା ନାଗରାଜ ଦୋରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ମୁଖ୍ୟ ଅନୁଗତ ତଥା ବିଜେପିର ବରିଷ୍ଠ ନେତା ନାଗରାଜ ଦୋରା ବିଜେପି ଛାଡି ବିଜେଡିରେ ଯୋଗ ଦେବେ ।
ସୂଚନା ଅନୁଯାୟୀ, ଶ୍ରୀ ଗମାଙ୍ଗ ଦଳ ଛାଡି ବିଜେପିରେ ଯୋଗ ଦେବା ପରେ ସେ ବି ତାଙ୍କ ସହ ବିଜେପିରେ ଯୋଗ ଦେଇଥିଲେ । ସେ ବୋରିଗୁମ୍ମା ଓକିଲ ସଂଘର ସଭାପତି ଥିବା ସହ ବିଜେପିର ପ୍ରମୁଖ ମଙ୍ଗୁଆଳ ମାନଙ୍କ ମଧ୍ୟରେ ଜଣେ ଭାବେ ପରିଚିତ ଥିଲେ। ଏପରିକି ବିଜେପିର ପ୍ରାର୍ଥୀ ଚୟନ ସମୟରେ ବି ସେ ପ୍ରମୁଖ ଭୁମିକା ତୁଲାଇଥିଲେ। ତେବେ ଅଚାନକ ଭାବେ ସେ ବିଜେପି ଛାଡ଼ି ବିଜେଡ଼ିକୁ ଲମ୍ବା ଡିଆଁ ମାରିଛନ୍ତି। ଏହା ନିଶ୍ଚିତ ରୂପେ ବିଜେପି ପାଇଁ ଶକ୍ତ ଧକ୍କା । ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ବୁଲୁ ପ୍ରଧାନ ଓ ଶ୍ରୀ ନାୟକଙ୍କୁ ବି ବିଜେଡିରେ ସାମିଲ କରାଉଛନ୍ତି। ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ଏହି ତିନି ନେତାଙ୍କ ବିଜେଡିରେ ଯୋଗଦାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ଉଭୟ ଦଳର ଆଉ କିଛି ନେତା ବି ବିଜେଡିରେ ଯୋଗ ଦେବେ ବୋଲି ଶ୍ରୀ ଦୋରା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଶ୍ରୀ ଦୋରା ଦଳର ଜଣେ କର୍ମୀ ଥିଲେ । ସେ ଦଳ ଛାଡ଼ିବା ବିଜେପି ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଏବଂ ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ । ବିଜେପି ସହ ମତଦାତା ଅଛନ୍ତି। କିଏ ଛାଡିକି ଗଲେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।
ସେହିପରି କଂଗ୍ରେସ ଗୋଟିଏ ମହାସମୁଦ୍ର । ଦୁଇ ନେତା ଯିବା ଦ୍ବାରା କଂଗ୍ରେସର କିଛି ପ୍ରଭାବ ପଢ଼ିବ ନାହିଁ। କଂଗ୍ରେସର ସଂଗଠନ ଜୟପୁର ନିର୍ବାଚନମଣ୍ଡଳୀରେ ଶକ୍ତିଶାଳୀ ରହିଛି। ତେଣୁ ବିଜେପି ଓବିଜେଡି ଛାଡି ପାମ୍ପୁଣୀ, ରଣ୍ଡାପାଲ୍ଲୀ ଅଂଚଳର ବହୁ କିଙ୍ଗମେକର ମାନେ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।