ଏସ୍‌ସିବିରେ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ

0

ଓଡିଶା ଫାଷ୍ଟ (ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲରେ ପ୍ରଥମ ଥର ପାଇଁ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟର ସଫଳ ଅସ୍ତ୍ରୋପଚାର ହୋଇଛି। ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଇଥାଏ । ଏପରି ଅସ୍ତ୍ରୋପଚାର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଆରମ୍ଭ ହୋଇଯାଇଥିବା ବେଳେ ଏସ୍‌ସିବିରେ ପ୍ରଥମ ଥର ପାଇଁ ହୋଇଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ରାଣୀ ପାତ୍ର ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ରାତିରେ ଆପୋଲୋ ଡାକ୍ତରୀ ଦଳ ପ୍ରିୟଙ୍କାଙ୍କ ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇଥିବା ଘୋଷଣା କରିଥିଲେ । ତେବେ ଝିଅର ମୃତ୍ୟୁ ସୂଚନା ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏନେଇ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ । ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପୁରା ପ୍ରକ୍ରିୟା । ଗତକାଲି ବିଳମ୍ବିତ ରାତିରେ କଟକ ବଡ ମେଡିକାଲର ଏକ ଡାକ୍ତରୀ ଟିମ୍ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ବାହାର କରି ମେଡିକାଲକୁ ଆଣିଥିଲେ । ପରେ ବିଶେଷଜ୍ଞ ଟିମ୍ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିଥିଲେ । ଏଥିପାଇଁ ପ୍ରାୟ ୭ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ସୂଚନା ମିଳିଛି। ମୁଖ୍ୟତଃ ଅଙ୍ଗଦାନ କରିବାକୁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ଏପରି ଅସ୍ତ୍ରୋପଚାରରେ ଆମ ରାଜ୍ୟରେ ଉତ୍ସାହଜନକ ନୁହେଁ। ତେଣୁ ଏପରି ମାନସିକତାରେ ପରିବର୍ତ୍ତନ ଆସିପାରିଲେ ବହୁ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି କହିଛନ୍ତି କଳିଙ୍ଗ ହସ୍ପିଟାଲର କିଡନୀ ପ୍ରତିରୋପଣ ସର୍ଜନ ଡା. ବିଶ୍ୱଜିତ୍‌ ନନ୍ଦ।

Leave a comment