ଏସ୍ସିବିକୁ ଆସିବ ସିମୁଲେଟର ମେସିନ୍
(ଓଡ଼ିଶାଫାଷ୍ଟ ବ୍ୟୁରୋ): ପୂର୍ବଭାରତର ପ୍ରଥମ ଫୁସ୍ଫୁସ୍ ଜନିତ ମେଡିସିନ୍ ଉତ୍କର୍ଷ କେନ୍ଦ୍ରକୁ ଆସିବ ସିମୁଲେଟର । ୪୦ଲକ୍ଷ ଟଙ୍କା ବ୍ୟୟରେ ଆସିବାକୁ ଥିବା ଏହି ଯନ୍ତ୍ରାଂଶ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଯନ୍ତ୍ର ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀ ତାଲିମ ନେଇ ପାରିବେ । ଆଇସିୟୁ ପରିଚାଳନାଠାରୁ ଆରମ୍ଭ କରି, ବିଭିନ୍ନ ପ୍ରକାର ଚିକିତ୍ସା କିପରି କରାଯିବ ସେ ସଂପର୍କରେ ବିନା ରୋଗୀରେ ଯନ୍ତ୍ରାଂଶ ମାଧ୍ୟମରେ ତାଲିମ୍ ଦିଆ ଯାଇପାରିବ । ଫୁସ୍ଫୁସ୍ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ପଲ୍ୟୁମୁନାରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏମ୍.ଆର. ପଟ୍ଟନାୟକ ସୂଚନା ଦେଇଛନ୍ତି । ଏସ୍ସିବିକୁ ଏହି ସିମୁଲେଟର ପ୍ରଥମ ଥର ପାଇଁ ଆସିବ ବୋଲି ସୂଚନା ମିଳିଛି ।