ଅଯୋଧ୍ୟା ରାମମନ୍ଦିର ସପକ୍ଷରେ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୯୨ ମସିହାରୁ ଚାଲିଥିବା ରାମମନ୍ଦିର ଓ ବାବ୍ରୀ ମସ୍ଜିଦ ବିବାଦର ରାୟ ପ୍ରକାଶ ପାଇଛି । ଆଜି ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି । ଅଯୋଧ୍ୟାର ଏହି ବିବାଦୀୟ ଜମିରେ ରାମମନ୍ଦିର କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ବାବ୍ରୀ ମସ୍ଜିଦ୍ ପାଇଁ ଅଯୋଧ୍ୟାର ଅନ୍ୟ ଏକ ପ୍ରମୁଖ ସ୍ଥାନରେ ୫ ଏକର ସ୍ଥାନ ନିରୁପଣ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ମୁତାବକ, ମସ୍ଜିଦ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ନିର୍ମାଣ ହେବ। ବିବାଦୀୟ ସ୍ଥାନରେ ରାମମନ୍ଦିର ନିର୍ମାଣ ହେବ, ଯେଉଁଠାରେ ହିନ୍ଦୁଙ୍କ ଶାସ୍ତ୍ର ଅନୁସାରେ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟ ଖଣ୍ଡପୀଠର ଏହି ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ କରିବ । ଏହି ଟ୍ରଷ୍ଟ ଅଧୀନରେ ୨.୭୭ ଏକର ବିବାଦୀୟ ଜମି ରହିବ । ଯାହା ଉପରେ ରାମ ମନ୍ଦିର ନିର୍ମାଣ ହେବ । ଆସନ୍ତା ୩ ମାସ ମଧ୍ୟରେ ସରକାର ଏହି ଟ୍ରଷ୍ଟ ଗଠନ କରିବେ ।
ଏହି ପାଞ୍ଚ ଜଣିଆ ଖଣ୍ଡପୀଠର ନେତୃତ୍ଵ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ନେଉଥିଲେ। ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍ ଏସ୍ଏ ବୋବ୍ଡ଼େ, ଡିୱାଇ ଚନ୍ଦ୍ରଚୁଡ଼, ଅଶୋକ ଭୂଷଣ ଏବଂ ଏସ୍ ଅବ୍ଦଚଲ୍ ନଜୀର । ପ୍ରଥମ ଥର ପାଇଁ ଅଯୋଧ୍ୟା ରାମମନ୍ଦିର ବିବାଦ ଉପରେ କୌଣସି ଖଣ୍ଡପୀଠର ସମସ୍ତ ସଦସ୍ୟ ସମାନ ମତରଖିଛନ୍ତି ।