ଗଣମାଧ୍ୟମ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ଏଣିକି ଛପିବନି ବଳାତ୍କାର ଶିକାର ନାବାଳିକାଙ୍କ ଫଟୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କ ଫୋଟୋ ବିଭିନ୍ନ ଗଣମାଧ୍ୟମରେ ଝପସା ଦେଖାଇବା ଓ ପୀଡିତାଙ୍କୁ ବାରମ୍ବାର ଦେଖାହୋଇ ଇଣ୍ଟରଭ୍ୟୁ ନେବା ନେଇ ବିରକ୍ତି ପ୍ରକାଶ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୌଣସି ଛାପା ବା ବୈଦ୍ୟୁତିକ ଗଣମାଧ୍ୟମ ଆଗକୁ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କ ଝାପ୍‌ସା ବା ବଦଳାଯାଇଥିବା ଫଟୋ କିମ୍ବା ଭିଡିଓ ବ୍ୟବହାର କରିପାରିବେ ନାହିଁ । ଏଭଳି ଫଟୋ ଓ ଭିଡିଓର ବ୍ୟବହାର ଫଳରେ ନାବାଳିକା ବଳାତ୍କୃତାଙ୍କ ପରିଚୟ ପ୍ରଘଟ ହେଉଥିବାରୁ ଗୁରୁବାର ସୁପ୍ରିମକୋର୍ଟ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । ଏଥିସହ ଏହାର ମୁଦ୍ରଣ ଓ ପ୍ରସାରଣ ଉପରେ କଟକଣା ଜାରି କରିଛନ୍ତି । ଜଷ୍ଟିସ ମଦନ ବି. ଲୋକୁର ଓ ଦୀପକ କୁମାର ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଖବରକାଗଜ ଓ ଟିଭି ଚ୍ୟାନେଲଗୁଡ଼ିକ ପୀଡ଼ିତାମାନଙ୍କ ଏକାଧିକ ଥର ସାକ୍ଷାତ୍‌କାର ନେଇ ଗଣମାଧ୍ୟମରେ ତାହାର ପ୍ରସାରଣ କରୁଛନ୍ତି । ଝିଅମାନଙ୍କୁ ଆମେ ଏଭଳି ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏହାସହ ଯୌନ ନିର୍ଯାତନାର ଶିକାର ହେଉଥିବା କୌଣସି ନାବାଳିକାଙ୍କ ସାକ୍ଷାତ୍‌କାର ନିଆଯାଇପାରିବ ନାହିଁ ଅଥବା ସେମାନଙ୍କ ଝାପ୍‌ସା ଫଟୋ କିମ୍ବା ଭିଡିଓକୁ ଲୋକଲୋଚନକୁ ଅଣାଯିବ ନାହିଁ ବୋଲି ଗଣମାଧ୍ୟମ ଉପରେ କଟକଣା ଜାରି କରିଛନ୍ତି । ଏଥିସହ ସିବିଆଇ ତଦନ୍ତ ବେଳେ ପେସାଦାର କାଉନ୍‌ସେଲର ଓ ଯୋଗ୍ୟତାସମ୍ପନ୍ନ ଶିଶୁ ମାନସିକ ରୋଗ ଚିକିତ୍ସକଙ୍କ ପରାମର୍ଶ ନେଇ ପୀଡ଼ିତାମାନଙ୍କୁ ପଚରାଉଚରା କରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

Leave a comment