ସମଦୂରତା କଥା କହି ଲୋକମାନଙ୍କୁ ଭୂତାଇ ଆସୁଥିବା ବିଜେଡ଼ି କୁ ଆଇନା ଦେଖାଇବେ ସତ୍ୟପ୍ରକାଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଆଜି ବିଧିବଦ୍ଧ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦାନ କରିଛନ୍ତି ।
ଯେମିତି ୟୁପି, ବିହାର ହେଉକି କର୍ଣ୍ଣାଟକ ହେଉ ସେଠାରେ ଜାତି ଧର୍ମ ଭୋଟ କୁ ବେଶୀ ଗୁରୁତ୍ୱ ଦିଆ ଯାଇଥାଏ । କିନ୍ତୁ ଓଡ଼ିଶା ରେ ସେଥିରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆମ ଓଡ଼ିଶାରେ ସଦାବେଳେ ବ୍ୟକ୍ତିତ୍ୱ କୁ ନେଇ ରାଜନୀତି ହୋଇଥାଏ । ନବୀନ ପଟ୍ଟନାୟକଙ୍କ ସମକକ୍ଷ କେହି ନଥିବାରୁ ଓଡ଼ିଶା ରାଜନୀତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ପୂର୍ବରୁ ଜାନକୀ ପଟ୍ଟନାୟକ ଓ ବିଜୁବାବୁ ସେହିପରି ନନ୍ଦିନୀ ଶତପଥୀ ଓ ହରେକୃଷ୍ଣ ମହତାବ ଙ୍କ ମଧ୍ୟରେ ଥିବା ବ୍ୟକ୍ତିତ୍ବ ସେମାନଙ୍କୁ ରାଜନୀତିରେ ସମକକ୍ଷ କରିପାରୁଥିଲା ।
ଓଡ଼ିଶା କୁ କଂଗ୍ରେସ ଓ ଅଣ କଂଗ୍ରେସ ପ୍ରାୟ ସମାନ ବର୍ଷ ହେବ ଶାସନ କରି ଆସିଲେଣି । ମାତ୍ର ବାସ୍ତବିକ ପରିସ୍ଥିତି ରେ ଯଦି କିଏ ଦୁର୍ବଳ ସ୍ଥିତି ରେ ଥାଏ ତେବେ ସେ କଂଗ୍ରେସ ଦଳ। କଂଗ୍ରେସ ଦଳ ଭିତରେ ସବୁଠାରୁ ବଡ ସମସ୍ୟା ହେଲା ଗୋଷ୍ଠି କନ୍ଦଳ । ଏଠାରେ ବିଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୁଏ।
ରାଜ୍ୟ କଂଗ୍ରେସ ରେ ନିରଞ୍ଜନ ଙ୍କ ଗୋଟିଏ ଗୋଷ୍ଠି ହୋଇଥିବା ବେଳେ ଶ୍ରୀକାନ୍ତ ଙ୍କ ଆଉ ଗୋଟିଏ ଗୋଷ୍ଠି । ପ୍ରସାଦ ହରିଚନ୍ଦନ ଆଗରୁ କୌଣସି ଗୋଷ୍ଠି ରେ ନଥିଲେ କିନ୍ତୁ ସେ ପିସିସି ସଭାପତି ହେବା ପରେ ତାଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଗୋଷ୍ଠି ସୃଷ୍ଟି ହୋଇଛି । ବିଶ୍ୱରଞ୍ଜନ ମହାନ୍ତି ଏଆଇସିସି ର ଜେନେରାଲ ସେକ୍ରେଟାରୀ ହେବ ପରେ ତାଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଗୋଷ୍ଠି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ପ୍ରକୃତ କଥା ହେଲା କଂଗ୍ରେସରେ ନେତାଙ୍କ ଅଭାବ ନାହିଁ । ଗୋଟିଏ ଗୋଟିଏ ନେତାଙ୍କ ବ୍ୟକ୍ତିତ୍ୱ ରେ ବିକାଶ ମଧ୍ୟ ଘଟିଛି । ୨୦୦୦ ମସିହା ରୁ କଂଗ୍ରେସ କ୍ଷମତା ରୁ ବାହାରେ ରହିଥିଲେ ମଧ୍ୟ ଆଜି ବି ଯଦି ଭୁବନେଶ୍ୱର କଂଗ୍ରେସ ଭବନରେ ମିଟିଙ୍ଗ ଡକା ଯାଏ ତେବେ ସବୁଠାରୁ ନାମି ଦାମୀ ଗାଡିର ଲାଇନ ଲାଗିଯାଉଛି କଂଗ୍ରେସ ଭବନ ଆଗରେ । ରାଜ୍ୟରେ ଅବସ୍ଥା କଂଗ୍ରେସର ଖରାପ ହୋଇଛି କଂଗ୍ରେସ ନେତାଙ୍କର ନୁହେଁ ।
୨୦୦୦ ମସିହାରେ ନିରଞ୍ଜନ ଙ୍କର ଯାହା ସମ୍ପତ୍ତି ଥିଲା ତାହା କଣ କମିଯାଇଛି ? ସେହିପରି ଶ୍ରୀକାନ୍ତ କିମ୍ବା ଅନ୍ୟ ବଡ ନେତା ହୁଅନ୍ତୁ ସମସ୍ତଙ୍କ ସମ୍ପତ୍ତି ବଢ଼ିଛି ଯଦି କମିଛି ତେବେ ରାଜ୍ୟ କଂଗ୍ରେସ ର କମିଛି ।
ବର୍ତ୍ତମାନ ର ସବୁଠାରୁ ବଡ ଚ୍ୟାଲେଞ୍ଜ ସତ୍ୟପ୍ରକାଶଙ୍କ ପାଇଁ ହେଲା ଯେ ସେ କିପରି ସବୁ ଗୋଷ୍ଠି ଙ୍କ ସହ ସମନ୍ୱୟ ରଖି ନିଜ ଦାୟିତ୍ବ ସୂଚାରୁ ରୁପେ ତୁଲାଇବେ । ଟିଭି ପରଦାରୁ ଯିଏ ସତ୍ୟ କୁ ଜାଣିଛି ସେ ଚୁପ ବସିବା ଲୋକ ନୁହନ୍ତି । ସେ କାହା ଗୋଷ୍ଠି ରେ ମିଶି କାହା ହଁ ରେ ହଁ ଭରିବେ ନାହିଁ । ତେଣୁ ତାଙ୍କ ପାଇଁ ବଡ କାମ ହେଲା ସମସ୍ତ ଗୋଷ୍ଠିର ମନମାଳିନ୍ୟ କୁ ଦୂରକରି ସମସ୍ତଙ୍କୁ ଏକ କରିବା ।
ଅନ୍ୟ ଏକ କାମ ହେଲା କଂଗ୍ରେସର ମିଡ଼ିଆ ସେଲ ଦାୟିତ୍ୱ ନେବା । କାରଣ କଂଗ୍ରେସର ଏକ ମିଡ଼ିଆ ସେଲ ଥିବା ବେଳେ ନିରଞ୍ଜନଙ୍କର ନିଜର ଏକ ମିଡ଼ିଆ ସେଲ ଅଛି। ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଯେତେ ହାଇଲାଇଟ ହୁଏନାହିଁ ତାଠାରୁ ନିରଞ୍ଜନ ଙ୍କ ମିଡ଼ିଆ ସେଲ ଅଧିକ ଆକ୍ଟିଭ । ଯଦି ସତ୍ୟ ନିଜ ପରିଶ୍ରମ ରେ ରାଜ୍ୟ ମିଡ଼ିଆ ସେଲ କୁ ଆଗକୁ ନିଅନ୍ତି ତେବେ ନିରଞ୍ଜନ ଙ୍କ ମିଡ଼ିଆ ସେଲ ବୁଝୁଥିବା ବ୍ୟକ୍ତି ତାକୁ ସହି ପାରିବେତ ?
ପୂର୍ବରୁ ଶୁଣିବାକୁ ମିଳୁଥିଲା ସତ୍ୟପ୍ରକାଶ ଭଣ୍ଡାରି ପୋଖରୀ ରୁ ନିର୍ବାଚନ ଲଢ଼ିବାକୁ ଇଛୁକ । ସେହିପରି ନିରଞ୍ଜନ କିମ୍ବା ତାଙ୍କ ପରିବାରର କେହି ବ୍ୟକ୍ତି ଏହି ଆସନ ରେ ଲଢ଼ିବେ ବୋଲି ଆଲୋଚନା ହେଉଛି । ଏହି ଆଲୋଚନା କୁ କେହି ମିଥ୍ୟା ବୋଲି ମଧ୍ୟ କହିନାହାନ୍ତି । ତେଣୁ ସେ ସମୟରେ ସତ୍ୟ ଙ୍କ ସହ ନିରଞ୍ଜନ ଙ୍କ ମତଭେଦ ହେବନିତ?
ଅଗକୁ କଂଗ୍ରେସର ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି ପ୍ରାୟ ସମସ୍ତ ବରିଷ୍ଠ ନେତାଙ୍କ ସୁପୁତ୍ର ବା ସୁପୁତ୍ରୀ ରାଜ୍ୟ କଂଗ୍ରେସ ରେ ଯୋଗଦେବାକୁ ଯାଉଛନ୍ତି । ସେମାନଙ୍କ ବୟସ ଏବଂ ସତ୍ୟପ୍ରକାଶଙ୍କ ବୟସ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ ତେଣୁ ସେମାନେ ସତ୍ୟଙ୍କ ପାଇଁ ରାସ୍ତାର କଣ୍ଟା ସାଯିବେ ନାହିଁତ ? ଏହି ପରି ଅନେକ ସମସ୍ୟା ସତ୍ୟପ୍ରକାଶଙ୍କ ଆଗରେ ଚ୍ୟାଲେଞ୍ଜ ହୋଇ ଠିଆ ହେବ । ଦେଖିବାକୁ ବାକି ରହିଲା ବରିଷ୍ଠ ସାମ୍ବାଦିକ ନିଜ ରାଜନୈତିକ ଜୀବନର ଏହି ଚ୍ୟାଲେଞ୍ଜ କୁ କିପରି ସମାଧାନ କରୁଛନ୍ତି ।
ସତ୍ୟପ୍ରକାଶ ଙ୍କ କଂଗ୍ରେସରେ ଯୋଗଦାନ ପରେ ” କଂଗ୍ରେସ ଦଳରେ ଯୋଗଦେଇ ମୁଁ ଗର୍ବ ଅନୁଭବ କରୁଛି । ଦୁର୍ନୀତି ଯୋଗୁଁ ଓଡିଶାର ବିକାଶ ହୋଇପାରୁନାହିଁ । ବିଜେଡ଼ି ସମଦୂରତା କଥା କହି ଲୋକମାନଙ୍କୁ ଭୂତାଇ ଆସୁଛି । ବିକାଶ ନାମରେ ବିଜେଡି ଓ ବିଜେପି ପ୍ରବଞ୍ଚନା କରୁଛନ୍ତି । ଏହି ଦୁଇ ଦଳର ଅସଲ ରୂପ ପର୍ଦ୍ଦାଫାଶ କରାଯିବ ।” ବୋଲି କହିଛନ୍ତି ।
ସେହିପରି ଏହି ଅବସରରେ ନିରଞ୍ଜନ କହିଛନ୍ତି “ସତ୍ୟପ୍ରକାଶ ଜଣେ ନିର୍ଭୀକ ସାମ୍ବାଦିକ। ଆଜି ଆମେ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛୁ। ବିଜେଡି ଓ ବିଜେପି ସହ ବୁଝାମଣା ହେଉଛି । ସେମାନେ ଭାବୁଛନ୍ତି ଓଡିଶାବାସୀ ବୋକା । ମୁଖ୍ୟମନ୍ତ୍ରୀ ସମଦୂରତା କଥା କହି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଉଛନ୍ତି । ହେଲେ ମହାନଦୀ, ପୋଲାଭରମ, ସ୍ବତନ୍ତ୍ର ପ୍ୟାକେଜ କଥା ଆଲୋଚନା କରୁନାହାନ୍ତି । ସିବିଆଇ ଭୟରେ ବିଜେଡି ଏବେ ବିଜେପିକୁ ସହଯୋଗ କରିଆସୁଛି । ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଲଢେଇ କରିବାକୁ ଚାହୁଁଛୁ । ଏ କ୍ଷେତ୍ରରେ ସତ୍ୟ ପ୍ରକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସେ ଓଡିଶା ପିସିସିର ମିଡିଆ ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇବେ । ସତ୍ୟପ୍ରକାଶ ଯଦି ନିର୍ବାଚନ ଲଢ଼ିବାକୁ ଚାହିଁବେ ତେବେ ତାଙ୍କ ଇଚ୍ଛା ମୁତାବକ ସ୍ଥାନରୁ ଲଡିବାକୁ ସୁଯୋଗ ଦିଆଯିବ । ”
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ବିଧାୟକ ଭୁଜବଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।