ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ ମହାନ୍ତି, ଲୋକଙ୍କୁ ଉତ୍ତମସେବା ସହ ହକି ବିଶ୍ୱକପ ପରିଚାଳନା କୁ ଦିଆଯିବ ଗୁରୁତ୍ୱ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ବର-କଟକ ଦୈତନଗରୀର ନୂଆ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପୂର୍ବତନ ପୋଲିସ କମିଶନର ୱାଇ ବି ଖୁରାନିଆଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ସହରରେ ଅପରାଧ ନିୟନ୍ତ୍ରଣ ସହ ଲୋକଙ୍କୁ ଉତ୍ତମସେବା ଯୋଗାଇବା ତାଙ୍କର ମୂଳଲକ୍ଷ୍ୟ ବୋଲି କହିଛନ୍ତି।

ଗଣମାଧ୍ୟମ କୁ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ” କଟକ-ଭୁବନେଶ୍ୱର ରେ ଅନେକ ସମସ୍ୟା ରହିଛି । ଏହି ସମସ୍ୟାକୁ ଚାଲେଞ୍ଜ ଭାବରେ ଗ୍ରହଣ କରି ଲୋକଙ୍କ ସହଯୋଗରେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରିବି । ଏହି ଦୁଇ ସହରରେ ଟ୍ରାଫିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି । ଏହାର ସମାଧାନ କିପରି ହୋଇପାରିବ, ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ମାନବସମ୍ବଳ ଅଭାବ ରହିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯିବ ।
ସେହିପରି ମାଫିଆ, ସଂଗଠିତ ଅପରାଧ, ଛୋଟମୋଟ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଏଥିସହିତ ମହିଳା ଓ ଶିଶୁ, ଅସହାୟଙ୍କୁ କିପରି ଶୀଘ୍ର ନ୍ୟାୟ ପ୍ରଦାନ କରାଯିବ, ସେ ନେଇ ବିଶେଷ ଗୁରୁତ୍ୱ ଦିଆଯିବ । ନିଶା ମାଫିଆ ଓ ଅପରାଧୀଙ୍କୁ ମୁହଁତୋଡ ଜବାବ ଦିଆଯିବ ।

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପରିଚାଳନା କମିଶନରଟେ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥିପାଇଁ ଦେଶ ଓ ଦେଶ ବାହାରୁ ପାଖାପାଖି ୪୦ ହଜାର ଦର୍ଶକ ଓ ଖେଳାଳି ଆସିବେ । ସେମାନଙ୍କ ସୁରକ୍ଷା ସହ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ଏକ ଗୁରୁଦାୟିତ୍ୱ ରହିବ । ଏହାକୁ ସୁରୁଖୁରୁରେ ଶେଷ କରି ରାଜ୍ୟର ଖ୍ୟାତିକୁ ଦେଶରେ ବଜାଇ ରଖିବାକୁ ଉଦ୍ୟମ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହା ସହ ଆସନ୍ତା ମାସରେ ମଡେଲ ଥାନା ଉଦଘାଟନ ହେବାର ଯୋଜନା ରହିଛି । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି।

Leave a comment