ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମ ପ୍ରତିଷ୍ଠାତା ସନ୍ତୋସ ରାଉଳ ଓରଫ ସାରଥୀଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି । ଏହା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ସାରଥୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଜଣେ ମହିଳା ଓ ତାଙ୍କ ନାବାଳିକା କନ୍ୟାଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ସାରଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ସେ ସମସ୍ତ ମାମଲାରେ ଜାମିନ ପାଇଥିବା ବେଳେ ଏହି ମାମଲାରେ ସେ ଜେଲରେ ଥିଲେ ।
ସାରଥୀ ପ୍ରତିଷ୍ଠା କରିଥିବା ଆଶ୍ରମରେ ହେଉଥିବା ନାନା କେଳେଙ୍କାରୀ ପଦାକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ୨ଟି ମାମଲାରେ ତାଙ୍କୁ ପୂର୍ବରୁ ଜାମିନ ମିଳି ସାରିଥିବା ବେଳେ ଆଜି ଅନ୍ୟ ଏକ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ଗତ ୩ ବର୍ଷ ହେଲା ସେ ଚୌଦ୍ବାର ଜେଲରେ ଥିଲେ ।