ରାଷ୍ଟ୍ରପତି ପଦ ପାଇଁ ବଦଳିଲା ରାଜନୈତିକ ସମିକରଣ, ପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ଆଞ୍ଚଳିକ ଦଳକୁ ଏକାଠିକରି ବିଜେପିକୁ ଚେକ ଦେବାକୁ ବୈଠକ କରିଥିବା ଏନସିପି ନେତା ଶରଦ ପାୱାର ଆଜି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଗାମୀ ରାଷ୍ଟ୍ରପତି ପଦପାଇଁ ତାଙ୍କ ନାଁ ଚର୍ଚ୍ଚା ହେବାପରେ ତାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଦେଖିବାକୁ ମିଳିଛି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚି ପାଖା ପାଖି ୧ ଘଂଟା ଧରି ଆଲୋଚନା କରିଛନ୍ତି । ଗତକାଲି ସେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ସାକ୍ଷାତଥିଲେ ।

ଅପରପକ୍ଷରେ କିଛିଦିନ ପୂର୍ବରୁ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସ୍ଥାନ ନମିିଳିବା ଓ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ସମିକରଣ କୌଣସି ସମୟରେ ବଦଳିପାରେ ବୋଲି ଅନୁମାନ କରାଯାଉଛି । ସେହିପରି କିଛିଦିନ ତଳେ ଶିବସେନାର ମୁଖପାତ୍ର ସଂଜୟ ରାୱତ କହିଥିଲେ କି ବିଜେପି ଅଛୁଆଁ ନୁହେଁ କି ବିଜେପି ସହିତ ଶିବସେନା ସଂପର୍କରେ ତିକ୍ତତା ନାହିଁ । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗି ଶିବସେନା ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ କଥା ସେହି ୫୦-୫୦ ରେ ଛିଡିବ ହେଲେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବେ ମିଳିବ ନାହିଁ । ସେହିକଥା ଯଦି ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରନ୍ତି ତେବେ ଦେବେନ୍ଦ୍ର ଫର୍ଡନଭିସ୍ ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ ।

ଶରଦ ପାୱାର ରାଷ୍ଟ୍ରପତି ପଦ ମୋହରେ ଶିବସେନା ଓ କଂଗ୍ରେସ ସହିତ ଥିବା ମେଣ୍ଟରୁ ବାହାରି ଆସି ପାରନ୍ତି । ଫଳରେ ଦଳ ବିଜେପି ସହିତ ରାଜ୍ୟରେ କ୍ଷମତାରେ ରହିବା ସହ ପାୱାରଙ୍କୁ ରାଷ୍ଟ୍ରପତି ପଦ ମିଳିଯିବା ବି କିଛି ଅସମ୍ଭବ ନୁହେଁ ।

Leave a comment