ମହାରଥୀଙ୍କ ବିୟୋଗରେ ସଞ୍ଜୟ ଦାସବର୍ମା ଅତ୍ୟନ୍ତ ମର୍ମାହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଅଣକଂଗ୍ରେସ ରାଜନୀତିର ଅଗ୍ରଜ ନେତା ତଥା ଦୀର୍ଘ ଚାରି ଦଶନ୍ଧି ଧରି ଓଡିଶା ରାଜନୈତିକ ଏବଂ ସାମାଜିକ ଜୀବନକୁ ପ୍ରଭାବିତ କରି ରଖିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ହେଡକ୍ୱାଟର୍ସ) ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀଯୁକ୍ତ ମହାରଥୀଙ୍କ ବିୟୋଗ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ ବରଂ ସାରା ରାଜ୍ୟବାସୀଙ୍କ ପାଇଁ ଏକ ଅପୁରଣୀୟ କ୍ଷତି । ସେ ବିଜୁ ବାବୁଙ୍କ ନେତୃତ୍ୱରେ ଛାତ୍ରାବସ୍ଥାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ମାନବବାଦୀ ଚିନ୍ତାଧାରା ଏବଂ ସାଧାରଣ ମଣିଷର ସ୍ୱରକୁ ଶାଣିତଭାବେ ଉପସ୍ଥାପିତ କରିବାର ପ୍ରତିବଦ୍ଧତା ପାଇଁ ସେ ସବୁବେଳେ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇ ରହିବେ।
ଅତ୍ୟନ୍ତ ଦୃଢମନା ଜୀବନର ଲମ୍ବା ଯୁଦ୍ଧରେ ତାଙ୍କ ସାଲିସ ବିହୀନ ସଂଗ୍ରାମ ଯୁବ, ଛାତ୍ରଙ୍କୁ ସର୍ବଦା ଅନୁପ୍ରାଣିତ କରି ରଖିବ। ଦୀର୍ଘ ସାତ ଥର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ, ମନ୍ତ୍ରୀଭାବେ ଓଡିଶା ବିଧାନସଭାରେ ରାଜ୍ୟ ତଥା ପୁରୀ ବାସୀଙ୍କ ସମସ୍ୟାକୁ ଏକ ଶୈଳୀରେ ସେ ଉପସ୍ଥାପିତ କରିଆସୁଥିଲେ। ତାଙ୍କ ବିୟୋଗ କେବଳ ତାଙ୍କ ପରିବାର ବର୍ଗଙ୍କ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟବାସୀ, ବିଜୁ ଜନତା ଦଳ, ପୁରୀବାସୀ ତଥା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଏକ ଅପୁରାଣୀୟ କ୍ଷତି। ଏଭଳି ଏକ ଦୁଃଖଦ ସମୟରେ ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରୁଛି ଏ ଦୁଃଖକୁ ସହିବା ପାଇଁ ତାଙ୍କ ପରିବାର ବର୍ଗ, ସହଯୋଗୀ, ଶୁଭେଛୁଙ୍କୁ ଶକ୍ତି ଓ ଧାର୍ଯ୍ୟ ଦିଅନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।