ନବରଙ୍ଗପୁର ଜିଲ୍ଲାରେ କୋଭିଡ୍-୧୯ ସମୀକ୍ଷାକଲେ ସଞ୍ଜୟ ଦାସବର୍ମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ୍-୧୯ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ଦାସବର୍ମା ସାରା ରାଜ୍ୟ କରୋନା ମହାମାରୀ ଭଳି ବିପର୍ଯ୍ୟୟକୁ ମୁକାବିଲା କରୁଥିବା ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ଏହାକୁ ମୁକାବିଲା କରିବା ପାଇଁ ଚାଲିଥିବା ପ୍ରସ୍ତୁତି ଓ ପରିଚାଳନା ବିଷୟରେ ଜିଲ୍ଲାପାଳଙ୍କଠାରୁ ଅବଗତ ହେବା ସହ ବିସ୍ତୃତ ଆଲୋଚନା କରିଥିଲେ । ନବରଙ୍ଗପୁର ଜିଲ୍ଲାର ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା, ସାନିଟାଇଜେସନ୍, କୋଭିଡ୍ ସେବା କେନ୍ଦ୍ରରେ ଅଧିକ ସଂଖ୍ୟକ ଶଯ୍ୟାର ଆବଶ୍ୟକତା, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା, ରାଜ୍ୟକୁ ଆସୁଥିବା ଏବଂ ଅନ୍ୟ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ
ଶ୍ରମିକମାନଙ୍କ ଯନି, ଜାତୀୟ ଓ ରାଜ୍ୟ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ, ମନରେଗାରେ ଅଧିକ ଶ୍ରମଦିବସ ସୃଷ୍ଟି, ଖରିଫ ଫସଲ, ବିହନ ବିତରଣ, ମିଶନ ଶକ୍ତି, ମିଶନ ସୁବିଦ୍ୟା, ପିଡ଼ିଏସ୍ ସାମଗ୍ରୀ ବିତରଣ, ଗ୍ରୀଷ୍ମଋତୁରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା, ଧାନ ଓ ମକା ସଂଗ୍ରହ ସଂପର୍କରେ
ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ସହ ସେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ଦାସବର୍ମା ନବରଙ୍ଗପୁର ଅନ୍ତର୍ଗତ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି, କୋସାଗୁମୁଡ଼ା, ଡାବୁଗାଁ,ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ଏବଂ ନବରଙ୍ଗପୁର ବ୍ଲକ୍ର ବିଡ଼ିଓମାନଙ୍କ ସହ ମଧ୍ୟ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ ।
ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଭଗବତୀ ଭଦ୍ରା, ଉପାଧ୍ୟକ୍ଷ ନିବେଦିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।