ସ୍ୱର ବଦଳାଇଲେ ସଂଜୟ, ଚାପରେ ନା ଭୟରେ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ପୋଲିସ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୋଲିସ । ଅବକାରୀ କମିସନରଙ୍କୁ ଚିଠି ଲେଖିଥିଲେ ଇନ୍ସପେକ୍ଟର । ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଏ ପ୍ରକାର ଚାଞ୍ଚଲ୍ୟକର ଚିଠି ଲେଖିଛନ୍ତି ଅବକାରୀ କମିସନରଙ୍କୁ ପୁରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।

ସାରା ରାଜ୍ୟରେ ଏ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରାତି ରାତି ବଦଳି ଗଲା ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ ମତ । ତେବେ ଏବେ ପ୍ରଶ୍ନ ଚାପ ପରେ ମତ ବଦଳାଇଲେ କି ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା? ଏକ ଭିଡିଓ ଜାରି କରି କହିଛନ୍ତି ସେ ଜଣେ ମାନସିକ ରୋଗୀ । ୨୦୨୦ରେ ତାଙ୍କୁ କରୋନା ହୋଇଥିଲା । ସେବେଠାରୁ ସେ ମାନସିକ ଓ ଶାରୀରିକ ଅସୁସ୍ଥ ଅଛନ୍ତି । ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାନ୍ତି । ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହିଥିବା କହିଛନ୍ତି ।

ଯାହା କହିଛନ୍ତି, ଭୁଲ କହିଛନ୍ତି । ଭୁଲ ସ୍ୱୀକାର କରିବା ସହ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି । ପୁରୀ ପୋଲିସ ବହୁତ ଭଲ ଆଉ ଭଲ କାମ କରୁଥିବା କହିଛନ୍ତି ସଞ୍ଜୟ ପଣ୍ଡା । ତେବେ ସେ ଏହି ଭିଡିଓ ନିଜ ଇଚ୍ଛାରେ କରିଛନ୍ତି ନା କାହା ଚାପରେ କରିଛନ୍ତି ଅସ୍ପଷ୍ଟ ରହିଛି । ଏହିପରିକି ଅଭିଯୋଗ ଆଣିବା ପରେ ଛୁଟି ମାଗିଲେ ସଞ୍ଜୟ ପଣ୍ଡା । ଏହା ସହ ହେଡକ୍ୱାର୍ଟର ଛାଡି ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ପୋଲିସ ବିଭାଗରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିଥିଲେ । ଗତକାଲି ଏହି ପରି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ। ହେଲେ ରାତିକ ଭିତରେ ଛୁଟି ମାଗିବାକୁ ଏବଂ ଭିଡିଓ ପୋଷ୍ଟ କରିବା ନେଇ ବଢିଛି ସନ୍ଦେହ ।

Leave a comment