ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଦ୍ଧାର ହୋଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଗତ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ପାଖ ବଜାରକୁ ଯାଇ ଘରକୁ ଫେରିନଥିଲେ । ଗତକାଲି ପରିବାର ଲୋକେ କଣ୍ଟାବଣିଆ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା ।
ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ଅନେକ ଖୋଜା ଖୋଜି କରିବା ପରେ ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ଗତକାଲି ସୁବ୍ରତଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଆଜି ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।
ଅପରପକ୍ଷରେ ଅପହରଣ କିଏ ଓ କ’ଣ ପାଇଁ କରିଥିଲା ସେ ବିଷୟରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ସୁବ୍ରତଙ୍କୁ ଉଦ୍ଧାର କରି ପୋଲିସ ଢେଙ୍କାନାଳ ଆଣୁଛି । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।