ପେଗାସସ୍‌ ମାମଲା, ନିଜ ଫୋନ୍‌ର ଫରେନ୍ସିକ୍‌ ଯାଞ୍ଚ କରାନ୍ତୁ ରାହୁଲ: ସମ୍ବିତ ପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଗାସସ୍‌ ଫୋନ୍‌ ଟ୍ୟାପିଂ ମାମଲାରେ ବୁଧବାର ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ଜୋରଦାର ଟର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦୀ ଫୋନ୍‌ରେ ଏକ ଅସ୍ତ୍ର ପକାଇଛନ୍ତି ଏବଂ ମୋ ବିରୋଧରେ ମଧ୍ୟ ଅସ୍ତ୍ରର ପ୍ରୟୋଗ କରାଯାଇଛି । ଏହାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜବାବ ମଧ୍ୟ ଦେଇଛନ୍ତି ।

ସମ୍ବିତ ପାତ୍ର କହିଛନ୍ତି, ‘ଯଦି ଆପଣଙ୍କ ଫୋନ୍‌ରେ ଅସ୍ତ୍ର ପୂରାଇ ଦିଆଯାଇଥିଲା ତେବେ ଆପଣ ଏତେ ଦିନ ଚୂପ କାହିଁକି ଥିଲେ ? ଏହାକୁ ବାହାର କରିବା ପାଇଁ ଫରେନ୍ସିକ୍‌ ଡିପାର୍ଟମେଣ୍ଟ ଗଲେ କି ? ଥାନାରେ ଏତଲା ଦେଲେ ନା ନାହିଁ ? ତାଙ୍କ ଫୋନ୍‌ରେ କୌଣସି ହତିଆର ନାହିଁ। ଯେଉଁ ଜିନିଷ ହିଁ ନାହିଁ ତାକୁ ଅସ୍ତ୍ର କରି ସଂସଦରେ ହଙ୍ଗାମା କରିବା ଏବଂ ପ୍ରକୃତ ପ୍ରସଙ୍ଗକୁ ଏଡ଼ାଇ ଯିବା ନେଇ ଏହା ଏକ ଚକ୍ରାନ୍ତ । ଯଦି ଆପଣଙ୍କ ଫୋନ୍‌ରେ ସତରେ ଅସ୍ତ୍ର ଅଛି ତେବେ ଜଳଦି ଯାଇ ସଂସଦର ଥାନାରେ ବାହାର କରାନ୍ତୁ।’

ସମ୍ବିତ ପାତ୍ର ଆହୁରି ମଧ୍ୟ କହିଛନ୍ତି, ପେଗାସସ୍‌ ଉପରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ଜବାବ ଦେଉଥିଲେ। ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। କିନ୍ତୁ ଆପଣମାନେ ମନ୍ତ୍ରୀଙ୍କ ହାତରୁ କାଗଜ ନେଇ ଚିରି ଫିଙ୍ଗିଦେଲେ। ଏହା ଜଣେ ନେତାର ଦାୟିତ୍ବ ନୁହେଁ ବରଂ ଦାୟିତ୍ବହୀନତା ବୋଲି ସମ୍ବିତ ପାତ୍ର କହିଛନ୍ତି। ଏହା ସହ ଆମେ ସଂସଦରେ ଉତ୍ତର ଦେଉଛୁ ବୋଲି ସେ କହିଛନ୍ତି।

ଏତିକିରେ ରୋକିନାହାନ୍ତି ସମ୍ବିତ। ସେ ଆହୁରି କହିଛନ୍ତି, ‘ ଆମକୁ ସେଦିନ ମଧ୍ୟ ମନେ ଅଛି ଯେବେ ଆପଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସିଂହଙ୍କ ଅର୍ଡିନାନ୍ସ(ଅଧ୍ୟାଦେଶ) ଚିରି ଉଡ଼ାଇଥିଲେ। । ଠିକ ସେହିଭଳି ଆପଣଙ୍କୁ ଅନୁକରଣ କରି ସଂସଦରେ ମନ୍ତ୍ରୀଙ୍କ ହାତରୁ କାଗଜ ଫାଡ଼ି ଫିଙ୍ଗିବା ଦାୟିତ୍ବ ନୁହେଁ। ରାହୁଲ ଏବଂ ଦାୟିତ୍ବ ଏକା ସାଙ୍ଗରେ ଚାଲିପାରିବେ ନାହିଁ। ରାହୁଲର ଅର୍ଥ ହିଁ ଦାଇତ୍ବହୀନତା।

Leave a comment