ଶହୀଦ ନଗର ଥାନାରେ ଭଙ୍ଗାରୁଜା ଘଟଣା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଓ ଭାଜପା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶହୀଦ ନଗର ଥାନରେ ପଶି ପୋଲିସ କର୍ମଚାରୀଙ୍କୁ ମାଡ଼ ମରାଯିବା ଘଟଣାରେ ଉଭୟ କଂଗ୍ରେସ ଓ ଭାଜପା ବିଜେଡିକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ରାଜନୀତି ଆଳରେ ଯୁବଗୋଷ୍ଠୀଙ୍କୁ ଅପରାଧିକ ମାନସିକତା ଆଡ଼କୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ ଆଣିଛି ଭାଜପା । କଥା କଥାରେ ସେମାନେ ବନ୍ଧୁକ, ଭୁଜାଲି ବାହାର କରୁଛନ୍ତି । ଜନ ସାଧାରଣଙ୍କ ସୁରକ୍ଷା କରିବା ନିମନ୍ତେ ପୋଲିସ ଶପଥ ନେଇଥିବା ବେଳେ ରାଜଧାନୀରେ ପୋଲିସକୁ କିଏ ସୁରକ୍ଷା ଦେବ ବୋଲି ପ୍ରଶ୍ନ କରିଛି ଭାଜପା । ଏଥିସହ ଏହିସବୁ ଅଭିଯୋଗକୁ ନେଇ ଭୁନନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ୱରେ ସୋମବାର ଡିସିପି ଅଫିସ ଆଗରେ ଧାରଣା ଦିଆଯାଇଥିଲା ।
ଧାରଣାରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । ସେପଟେ ଏହି ଘଟଣାକୁ ନିନ୍ଦା କରି କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିବୃତିରେ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ବିଜୁ ଯୁବବାହିନୀର ସଦସ୍ୟମାନେ ଥାନା ଉପରେ ଆକ୍ରମଣ କରିଛନ୍ତି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବଦଳରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।