ସୂଚନା ଅଧିକାର କର୍ମୀଙ୍କ ସହଯୋଗୀଙ୍କ ନାଁରେ ମାମଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜକୁ ସୂଚନା ଅଧିକାର କର୍ମୀ ବୋଲି କହି ବୁଲୁଥିବା ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପ୍ରଦୀପଙ୍କ ଇଙ୍ଗିତରେ ତାଙ୍କର ଜଣେ ସହଯୋଗୀ ବାଲିପାଟଣା ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏନେଇ ପୀଡ଼ିତା ଶୁକ୍ରବାର ଦିନ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ପୁଲିସ୍ ଆରମ୍ଭ କରିଛି ତନାଘନା ।
ସଂପୃକ୍ତ ମହିଳାଙ୍କ ଅଭିଯୋଗ ମୁତାବକ, କିଛି ମାସ ତଳେ ପ୍ରଦୀପ ତାଙ୍କୁ ଭେଟି କହିଥିଲେ, ସେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପାଇଁ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ମହିଳା ସଙ୍ଗଠନକୁ ମଜଭୁତ୍ କରିବାର ଅଛି । ଅଳ୍ପ ଟଙ୍କା ଦେଇ ତୁମେ ଆମ ସହ ସାମିଲ ହୁଅ, ଆଉ ବିଭିନ୍ନ ମହିଳାଙ୍କୁ ବୁଝାଇ ସଙ୍ଗଠନରେ ଯୋଡ଼। ମୁଁ ତୁମକୁ କଟକ ଅଫିସ୍ ଦାୟିତ୍ୱ ଦେବି । ମାସକୁ ୧୫ ହଜାର ଟଙ୍କା ମିଳିବ । ତାଙ୍କ କଥାରେ ମହିଳା ରାଜି ହୋଇ ଯାଇଥିଲେ । ପ୍ରଦୀପ ଗତ ମାସ ୩୦ ତାରିଖରେ କଟକରେ ସଙ୍ଗଠନ ବୁଝୁଥିବା ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଘରକୁ ଡାକି ମହିଳାଙ୍କ ସହିତ ଚିହ୍ନା ପରିଚୟ କରାଇ ସେଠାରୁ ଚାଲି ଯାଇଥିଲେ । ଜିତେନ୍ଦ୍ର କଟକ ଅଫିସ୍ ବାବଦରେ ବୁଝାଇବା ବଦଳରେ ଆରମ୍ଭ କରିଥିଲେ ମହିଳାଙ୍କୁ ଅସଦାଚରଣ । ସେ ବହୁ କଷ୍ଟରେ ସେଠାରୁ ଖସି ଆସିଥିଲେ ।
ଅସଦାଚରଣ ବିଷୟରେ ସେ ପ୍ରଦୀପଙ୍କୁ ଜଣାଇଥିଲେ । ହେଲେ ପ୍ରଦୀପ ତାଙ୍କୁ କହିଥିଲେ ତାଙ୍କ କଥା ମାନି ନିଅ, ତମର ଲାଭ ହେବ । ନ ହେଲେ ଅସୁବିଧାରେ ପଡ଼ିବ । ଏହାଶୁଣି ମହିଳା ରାଗିଯାଇ ସଙ୍ଗଠନ ଛାଡ଼ିଦେବେ ବୋଲି କହିବା ସହ ଟଙ୍କା ଫେରସ୍ତ ମାଗିଥିଲେ । ପ୍ରଦୀପ ତାଙ୍କୁ ଗାଳି କରିବା ସହ ଟଙ୍କା କଥା କିଛି ଜାଣି ନଥିବା କହିଥିଲେ । ଏମିତିକି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି । ଏଥିରେ ଡରି ଯାଇ ଘରକୁ ପଳାଇଥିଲେ ମହିଳା । ଗତ ୩ ତାରିଖରେ ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ କହିବା ପରେ ସେ ଏତଲା ଦେବାକୁ କହିଥିଲେ । ସଂପୃକ୍ତ ମହିଳା ଆଜି ମହିଳା ଥାନରେ ଏତଲା ଦେଇଛନ୍ତି । ପୁଲିସ୍ କହିଛି ପ୍ରଦୀପ ଫେରାର ଅଛନ୍ତି । ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ।