ବିଜେଡି ଦୁର୍ଗ ଭାଙ୍ଗିବା ଲକ୍ଷ୍ୟରେ ବିଜେପି, ସୁକିନ୍ଦା ଓ ମୋରଡାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ହିଂସାର ସ୍ଥାନ ନାହିଁ । ବିଜେଡି ସରକାର ଅମଳରେ ଓଡ଼ିଶାରେ ଗୁଣ୍ଡାଗର୍ଦ୍ଦି ଓ ହିଂସା ବଢ଼ିଥିବା ବେଳେ ଚଳିତ ର୍ନିବାଚନରେ ବହୁ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ଗତ କିଛି ଦିନ ଭିତରେ ରାଜ୍ୟରେ ୨୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ କେତେଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଜୀବନ ଯାଇଛି ।

ନବୀନ ବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରୁଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ାଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା କହିଛନ୍ତି । ଏଥର ବିଜେଡି ସରକାରଙ୍କୁ ଜନତା ଉଚିତ ଜବାବ ଦେବେ । ଚିଟଫଣ୍ଡ ଯୋଗେ ଓଡ଼ିଶାବାସୀଙ୍କ ହଜାର ହଜାର କୋଟି ଟଙ୍କା ଖାଇଥିବା ଚୋରଙ୍କୁ ବିଜେପି ସରକାର ଗଢ଼ିବାର ୯୦ ଦିନ ଭିତରେ ଜେଲ ପଠାଯିବ ବୋଲି ସେ କହିଥିଲେ । ବିଜେପି ସରକାର ସାରା ଦେଶରେ ଆୟୁଷ୍ମାନ ଯୋଜନା ଲାଗୁ କରିଥିବା ବେଳେ ଏହାଦ୍ୱାରା ବହୁ ଗରିବ ଲୋକ ଉପକୃତ ହୋଇଛନ୍ତି । ମାତ୍ର ଓଡ଼ିଶାରେ ନବୀନବାବୁ ଏହାକୁ କାର୍ଯ୍ୟକାରୀ କରୁ ନ ଥିବାରୁ ଲୋକମାନେ ଏହାର ସୁଫଳ ପାଇପାରୁନାହାନ୍ତି ।

ମୋରଡା ସଭା ପରେ ସେ ଯାଜପୁର ଜିଲା ଡୁବୁରୀଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇ ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ବିଜେଡି ଗଡ଼ ଭାବେ ପରିଚିତ ଏହି ଗଡ଼ ଭାଙ୍ଗିବାକୁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଚଳାଇଛି ।

Leave a comment