ଚିଟ୍ଫଣ୍ଡ, ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଶାହା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ପରେ ପୋଲସରା ଓ ବରଗଡ଼ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । ସେଠରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବା ସହ ରଜ୍ୟ ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରି ତୀର ମାରିଥିଲେ । ଏ ଦୁଇ ସଭାରେ ଚିଟ୍ଫଣ୍ଡ, ଖଣି ଦୁର୍ନୀତି ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ଶାହା ନବୀନଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।
ଏଥିସହ ଶାହା କହିଥିଲେ, ଏଥର କେନ୍ଦ୍ରରେ ମୋଦୀ ସରକାର ନିଶ୍ଚୟ ଆସିବେ । କିନ୍ତୁ ଓଡ଼ିଶାରେ ବିଜେପିକୁ ଜିତାଇବା ପାଇଁ ଆପଣମାନଙ୍କ ସହଯୋଗ ଦରକାର । ଏଥର ଓଡ଼ିଶାରେ ବିଜେପି ଆସିଲେ ଆସନ୍ତା ୫ବର୍ଷ ମଧ୍ୟରେ ଓଡ଼ିଶାରେ ବିରାଟ ପରିବର୍ତ୍ତନ କରାଯିବ । ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବା ସହ ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି ଶାହା କହିଥିଲେ । ଏଥିସହ ଓଡ଼ିଶାର ଉନ୍ନତି ପ୍ରତି ଧ୍ୟାନ ଦେଇ ନ ଥିବା ବିଜେଡି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଶାହା କହିଥିଲେ ।