ଡ୍ରଗ୍ସ ମାଫିଆ ସେକ ରାଜାର ଘରେ ଏସ.ଟି.ଏଫ. ଟିମର ଚଢ଼ାଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ.ଟି.ଏଫ.)ର ୫ଜଣିଆ ଟିମ ରବିବାର ସକାଳେ ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ସ୍ଥିତ ଡ୍ରଗ୍ସ ମାଫିଆ ସେକ ରାଜା ଘରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସେକ ରାଜା ପରିବାର ଲୋକଙ୍କୁ ମଧ୍ୟ ପଚରାଉଚୁରା କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କ ସେକ ରାଜା ସହ ଲିଙ୍କ ସମ୍ନାକୁ ଆସିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଗତ ୧୬ ତାରିଖରେ ରାଜାକୁ ଭୁବନେଶ୍ୱର ଖଣ୍ଡଗିରିରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରିଥିଲା । ରାଜା ଫେସବୁକ୍ ଓ ହ୍ୱାଟସଆପ୍ ମାଧ୍ୟମରେ ରାଜ୍ୟ , ଦେଶ ଓ ଦେଶ ବାହାରର ନିଶା ମାଫିଆଙ୍କ ସହ ଯୋଗାଯୋଗ କରୁଥିଲା । ବାଂଲାଦେଶ ମାଫିଆଙ୍କ ସହ ସିଧାସଳଖ ରାଜା ଯୋଗାଯୋଗ କରେ । ସେମାନେ ବାଂଲାଦେଶ ବର୍ଡରରେ ବ୍ରାଉନସୁଗାର ପହଞ୍ଚାଇ ଦିଅନ୍ତି । ସେଠାରୁ ରାଜାର ସହଯୋଗୀମାନେ କୋଲାକାତା ଦେଇ ଡ୍ରଗ୍ସକୁ ଜଳେଶ୍ୱରରେ ପହଞ୍ଚାଇଥାନ୍ତି । ଜଳେଶ୍ୱରରେ ରାଜାର ଫ୍ୟାନ କ୍ଲବ ଅଛି । ଫ୍ୟାନ କ୍ଲବ ପିଲାମାନଙ୍କୁ ଟଙ୍କା ଦେଇ ସାରା ରାଜ୍ୟର ବେପାରୀମାନଙ୍କୁ ରାଜା ବ୍ରାଉନସୁଗାର ଯୋଗାଇ ଆସୁଥିଲା ।