ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ ରଖିଲା ଋଷ , ଜାଣନ୍ତୁ କଣ

ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବରବାଦ୍ ହେବାକୁ ବସିଥିବା ବେଳେ ଯୁଦ୍ଧ ବନ୍ଦ ହେଉନି। ଯୁଦ୍ଧରେ ବିରାମ ଲଗାଇବାକୁ ବେଲାଋଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଛି । ସେପଟେ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ଋଷ । ୟୁକ୍ରେନ ଏହି ସର୍ତ୍ତ ମାନିଲେ ଋଷ ଆକ୍ରମଣ ବନ୍ଦ କରିବ କହିଛି । ଦୀର୍ଘ ୧୩ ଦିନ ଭିତରେ ଋଷ ଯୁଦ୍ଧ ବନ୍ଦ କରିବା ପାଇଁ ନିଜ ଆଡ଼ୁ ଏପରି ସର୍ତ୍ତ ଉପସ୍ଥାପନ କରିବା ବେଶ ଗୁରୁତ୍ୱବହନ କରୁଛି । ଋଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ସାମାରିକ ଦମନ ଲୀଳା ବନ୍ଦ କରିବାକୁ ଚାହୁଁଛୁ । କିନ୍ତୁ ୟୁକ୍ରେନ ବାଧା ଉପୁଜାଉଛି ।
ଋଷର ଅନ୍ୟତମ ସର୍ତ୍ତ ହେଉଛି ୟୁକ୍ରେନ ସବୁବେଳେ ନିରପେକ୍ଷ ଓ ସ୍ୱତନ୍ତ୍ର ହୋଇ ରହୁ । ୟୁକ୍ରେନ ସରକାର ସମ୍ବିଧାନରେ ସଂଶୋଧନ କରି କୌଣସି ଅନ୍ତର୍ଜାତୀୟ ସମୂହରେ କିଭ୍ ସାମିଲ ହେବ ନାହିଁ ବୋଲି ବ୍ୟବସ୍ଥା କରନ୍ତୁ ବୋଲି ଋଷ ଦାବି କରିଛି । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ତୁର୍କି ମଧ୍ୟସ୍ଥତା କରିବ ବୋଲି ଜଣାପଡ଼ିଛି । ଦୁଇ ଦେଶଙ୍କ ଶୀର୍ଷ କୂଟନୈତିକ ସ୍ତରୀୟ ବୈଠକ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ହେବ । ଋଷ ଓ ୟୁକ୍ରେନ ମଧ୍ୟରେ ଏହି ବୈଠକ ନେଇ ତୁର୍କି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି । ତୁର୍କିର ଉପକୂଳ ସହର ଆଣ୍ଟାଲ୍ୟାରେ ଏହି ବୈଠକ ହେବ।