ଋଷର ଅସ୍ତ୍ରବିରତି ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁଦ୍ଧରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ୟୁକ୍ରେନର ୨ଟି ସହରରେ ଏହି ଅସ୍ତ୍ରବିରତି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ୟୁକ୍ରେନର ମାରିୟୋପୋଲ ଏବଂ ଭୋଲଭୋନୋଖା ସହରରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଭାରତୀୟ ସମୟ ଅନୁଯାୟୀ ଏହି ଅସ୍ତ୍ରବିରତି ୧୧ଟା ୩୦ରୁ କାର୍ଯ୍ୟକାରୀ ହେବ। ଏହାସହିତ ଭାରତୀୟଙ୍କ ସହିତ ଅନ୍ୟ ନାଗରିକଙ୍କ ସ୍ଥାନାନ୍ତରଣ ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଋଷ କହିଛି । ଅସ୍ତ୍ରବିରତି ଘୋଷଣା କରିଥିବା ୟୁକ୍ରେନର ଏହି ୨ଟି ସହରରେ ଭାରତୀୟଙ୍କ ସଂଖ୍ୟା କମ ରହିଛି । ମାତ୍ର ଶାନ୍ତି ପ୍ରତିଷ୍ଠା ଦିଗରେ ଋଷର ଏହି ପଦକ୍ଷେପକୁ ଏବେ ପ୍ରଶଂସା କରାଯାଇଛି ।

ଋଷ ଓ ୟୁକ୍ରେନ ମଧ୍ୟରେ ୨ୟ ଥର ଆଲୋଚନା ପରେ ଏହି ଗ୍ରୀନ କରିଡ଼ରର ବ୍ୟବସ୍ଥା କରାଯାଇଛି । ଫଳରେ ସାଧାରଣ ନାଗରିକ ସୁରକ୍ଷିତ ଭାବେ ୟୁକ୍ରେନରୁ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିବେ । ଏହାପୂର୍ବରୁ ଚେର୍ନିହିଭ ଏବଂ ସୁମିର ଅନ୍ୟ ପ୍ରମୁଖ ସହର ସହିତ କିଭରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା । ଚେର୍ନିହିଭ୍ ସହର ପାଇଁ ପ୍ରଥମ ଏୟାର ରେଡ୍ ଚେତାବନୀ ଦିଆଯାଇଥିଲା ।

ଅପରପକ୍ଷରେ ୟୁକ୍ରେନ ପ୍ରାୟ ୩୭୦୦ ଭାରତୀୟଙ୍କୁ ବନ୍ଦୀ କରି ରଖିଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ୟୁକ୍ରେନରେ ବିଦେଶୀ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ଖାରକିଭ ସହରରେ ପ୍ରାୟ ୩୧୮୯ ଭାରତୀୟ ନାଗରିକ ରହିଥିବା ବେଳେ ଭିୟତନାମର ୨୭୦୦ ନାଗରିକ, ଚୀନର ୨୦୨ ନାଗରିକ, ସୁମିରେ ୫୭୬ ଭାରତୀୟ ନାଗରିକ, ୧୦୧ ଘାନାର ନାଗରିକ ରହିଛନ୍ତି ।

Leave a comment