ଦିଲ୍ଲୀରେ ଗଡ଼ିଲା ଓଡ଼ିଶାର ରୁକୁଣା ରଥ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ନୂଆଦିଲ୍ଲୀ ରାଜପଥରେ ଚିତ୍ତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା। ତା’ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ତା’ ମଧ୍ୟରେ ଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଦେଖିବାକୁ ମିଳିଥିଲା। ଏଥିସହିତ ଲିଙ୍ଗରାଜ ମନ୍ଦିରର ପ୍ରତିକୃତିକୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ପ୍ରଜ୍ଞାପନ ମେଢ଼ ଉପରେ ୮ ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ସେହିପରି ମେଢ଼ ଚାରିପାଖେ ୨୦ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ପରିକଳ୍ପନା କରିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୫ଟି ଡିଜାଇନ୍ ପଠାଯାଇଥିଲା। ସେଥି ମଧ୍ୟରୁ ଗଜେନ୍ଦ୍ରଙ୍କ ଡିଜାଇନ୍ ଯୋଗ୍ୟ ବିବେଚିତ ହୋଇଥିଲା।

Leave a comment