ବାହୁଡା ପରଠାରୁ ଆରମ୍ଭ ହେବ କଂଗ୍ରେସର ପ୍ରଚାର, ରୋଡ଼ ମ୍ୟାପ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ । ଶାସକ ବିଜେଡି, ବିରୋଧୀ ବିଜେପିର ନେତୃବୃନ୍ଦ ପାଟକୁରାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ କଂଗ୍ରେସ ପ୍ରଚାରରେ ପଛରେ ପଡ଼ିଯାଇଥିଲା । ହେଲେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟ ନେତୃବୃନ୍ଦ ଅଣ୍ଟା ଭିଡିଛନ୍ତି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ପରିସରରେ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଟକୁରା ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ବୈତରଣୀ ପାର ହେବାକୁ ରଣକୌଶଳ ପ୍ରସ୍ତୁତ ହୋଇଛି । ବୈଠକରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ଜିତାଇବା ପାଇଁ ପାଟକୁରା ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀମାନେ ଆପ୍ରାଣ ଉଦ୍ୟମ କରିବାକୁ ପିସିସି ସଭାପତି ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଦଳୀୟ ବିଧାୟକ ଓ ଏମପିମାନେ ଦୁଇରୁ ତିନିଦିନ ପାଟକୁରା ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରର କରିବାକୁ ପିସିସି ସଭାପତି ପଟ୍ଟନାୟକ ଆହ୍ୱାନ କରିଛନ୍ତି । ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କେନ୍ଦ୍ରାପଡ଼ା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ମାନସ ମଲ୍ଲିକ, ପିସିସି ସାଧାରଣ ସଂପାଦକ ଆକବର ଅଲ୍ଲୀ, ସଂଗ୍ରାମ କେଶରୀ ଜେନା, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜ୍ଞାନଦେବ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।