ବାତ୍ୟାର ୧୩ ଦିନ ପରେ ବି ଲାଇନ ଆସିଲାନି, ଜଗତସିଂହପୁରରେ ରାସ୍ତାରୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରାୟତଃ ସବୁ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ପୁରୀରେ ଆଜିଠାରୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି । ହେଲେ ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ । ବାତ୍ୟାର ୧୩ଦିନ ପରେ ବି ଇଲେକ୍ଟ୍ରି ନ ଆସିବାରୁ ଜିଲ୍ଲାର କେତେକ ସ୍ଥାନରେ ଲୋକେ ବୁଧବାର ପୂର୍ବାହ୍ନରେ ରାସ୍ତା ଅବରୋଧ କରିଥିଲେ।

ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିଛି । କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜାର ନିକଟରେ ଆଜି ରଘୁନାଥପୁର ବଜାର କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି। । ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାକୁ ସେମାନେ ଦାବି କରିଛନ୍ତି ।

ସେହିପରି କଟକ- ଜଗତସିଂହପୁର ରାସ୍ତାର ବିରିଡ଼ି ଛକ ନିକଟରେ ମଧ୍ୟ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ପୋଲିସ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇରୁ ତିନି ଦିନ ଭିତରେ ବିଦ୍ୟୁତ୍ ଆସିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।

Leave a comment