ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୫ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥର ଡେରାବିଶ ଥାନା ଅଳାବାଙ୍କଠାରେ ରବିବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କାର ଚାଳକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ କାରଚାଳକ ସଦର ଥାନା ଗରାପୁର ଗ୍ରାମର ହରେକୃଷ୍ଣ ସାହୁ, ରାଜନଗର ଥାନା ଗୁପ୍ତି ଗ୍ରାମର ରାଜେଶ ଜେନା, ନିକାରାଇ ଥାନା ପାଇକରାପୁର ଗ୍ରାମର ଜୀବନଜ୍ୟୋତି ଶତପଥୀ, ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗ୍ରାମର ଦେବାଶିଷ ସେଠୀ ଓ କୈଳାସୀ ଗ୍ରାମର ଦୀପକ ଧଳ । ସେହିପରି ଗୁରୁତର ବ୍ୟକ୍ତିଙ୍କ ନାମ ସଂଗ୍ରାମ ମଲ୍ଲିକ । ତାଙ୍କ ଘର ଅନୁଗୋଳରେ ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ଯାତ୍ରା ଦେଖି ରାତି ପ୍ରାୟ ୩ଟାରେ ସେମାନେ ଏକ କାରରେ ଫେରିଥିଲେ । ଗାଡିଟି ଦ୍ରୁତ ଗତିରେ ଆସୁଥିବାରୁ ଅଳାବାଙ୍କଠାରେ ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀ ସୁଧୀର କୁମାର ବେହେରା କହିଛନ୍ତି, କାରଟି ୪ଟି ସିଟ୍ ବିଶିଷ୍ଟ ହୋଇଥିବାବେଳେ ୬ଜଣ ବସିଥିଲେ । କାରଟି ସମ୍ମୁଖରେ ଥିବା ଏକ ବଡ ଗାଡି ସହ ଧକ୍କା ହେବାରୁ କାରର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି । ଅନ୍ୟ ଗାଡିଟି ଘଟଣାସ୍ଥଳରୁ ପଳାଇ ଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।