ମୁମ୍ବାଇ ଘରେ ନାହାଁନ୍ତି : ରିୟାଙ୍କୁ ଖୋଜୁଛି ପାଟନା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ ବୋଲି ଅଭିଯୋଗ କରି ସୁଶାନ୍ତଙ୍କ ବାପା କେକେ ସିଂହ ଏଫଆଇଆର ରୁଜୁ କରିବା ପରେ ଏବେ ପୂରା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଟଙ୍କା ପାଇଁ ରିୟା ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଏତଲା ପରେ ମୁମ୍ବାଇରେ ରହୁଥିବା ରିୟା ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ପୁଲିସ୍‌ ତାଙ୍କ ବାସଭବନରେ ପହଞ୍ଚିଥିଲେ ହେଁ ତାଙ୍କା କୌଣସି ପତ୍ତା ପାଇ ନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମଙ୍ଗଳବାର ପାଟନା ପୁଲିସ୍‌ର ୪ ଜଣିଆର ଟିମ୍‌ କେକେ ସିଂହଙ୍କ ଏତଲା ପରେ ମୁମ୍ବାଇ ଆସି ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ଏହି ପୁଲିସ୍‌ ଟିମ୍‌ ରିୟାଙ୍କ ବାସଭବନରେ ପହଞ୍ଚିଥିଲେ ହେଁ ତାଙ୍କୁ ସେଠାରେ ପାଇ ନଥିବା ଜାତୀୟ ଗଣାମାଧ୍ୟମ ଟାଇମ୍ସ ନାଓରେ ଖବର ପ୍ରକାଶ ପାଇଛି। ଏହାପୂର୍ବରୁ ପାଟନ ସ୍ଥିତ ରାଜୀବ ନଗର ପୁଲିସ୍‌ ଷ୍ଟେସନ ଇନ ଚାର୍ଜ ଯୋଗେନ୍ଦ୍ର ରବିଦାସ କହିଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ତାଙ୍କ ଏଫଆଇରେ ରିୟାଙ୍କ ସେମତ ୫ ଜଣଙ୍କ ନାଁ ଉଲ୍ଲେଖ କରିଛନ୍ତି। ଏମାନେ ମିଳିତ ଭାବେ ସୁଶାନ୍ତଙ୍କୁ ଜୀବନ ହାରିବାକୁ ଉସକାଇଥିବା ସେ ଏଫଆଇରେ କହିଛନ୍ତି। ଏଥିପାଇଁ ରିୟା ଓ ଅନ୍ୟ ୫ ଜଣଙ୍କ ନାଁରେ ୩୪୦,୩୪୧, ୩୮୦,୪୦୬,୪୨୦ ଓ ୩୦୬ ଧାରାରେ ମାମଲା ରୁଜୁ ହୋଇଛି। ଏବେ ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇ ସ୍ଥିତ ନିଜ ବାସଭବନରୁ ଫେରାର ହୋଇଯାଇଥିବା ରିୟା ଆଗୁଆ ଜାମିନ ପାଇଁ ପ୍ରସ୍ତୁତ ଚଳାଇଥିବା କୁହାଯାଉଛି। ଏହି କାରଣ ପାଇଁ ସେ ପୁଲିସ୍‌ ସହ ଯୋଗାଯୋଗ କରୁନାହାନ୍ତି। ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ଦୀର୍ଘ ଦିନ ହେଲା ପରସ୍ପରକୁ ଭଲ ପାଉଥିଲେ। ଏପରି କି ସେମାନେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ ବୋଲି ବି’ଟାଉନରେ ଚର୍ଚ୍ଚା ହେଉଥିଲା। ହେଲେ ଜୁନ୍‌ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିବା ପରେ ରିୟା ଏବେ ହରଡ଼ ଘଣାରେ ଫସିଛନ୍ତି।

ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଅଭିଯୋଗ ଅନୁଯାୟୀ, ରିୟା ଓ ସୁଶାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ମୃତ୍ୟୁ ପାଇଁ ଦାୟୀ। ଡାକ୍ତରଙ୍କୁ ରିୟା ପ୍ରଲଭୋନ ଦେଖାଇ ସୁଶାନ୍ତଙ୍କ ଚିକିତ୍ସା ଠିକ ଭାବେ କରୁ ନଥିଲେ। ସୁଶାନ୍ତଙ୍କ ଠାରୁ ରିୟା କୋଟିକୋଟି ଟଙ୍କା, ଲ୍ୟାପଟପ, କ୍ରେଡିଟକାର୍ଡ ଓ ଅଳଙ୍କାର ମଧ୍ୟ ନେଇଯାଇଥିବା ତାଙ୍କ ବାପା କହିଛନ୍ତି।

Leave a comment