ସୌମ୍ୟ, ନବୀନଙ୍କୁ ଟପିଲେ ରୀତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁରରେ ସମସ୍ତଙ୍କ ଅକାଳନକୁ ଭୁଲ ପ୍ରମାଣିତ କଲେ ରୀତା ସାହୁ । ମୁଖ୍ୟମନ୍ତ୍ରୀ ରୀତା ସାହୁଙ୍କ ଉପରେ ଥିବା ଆସ୍ଥା ଆଜି ଠିକ ପ୍ରତିପାଦିତ ହୋଇଛି । ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧,୪୩୦ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭,୧୨୨ ଖଣ୍ଡ ଭୋଟରେ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲେ । ମାତ୍ର ଚଳିତ ବିଜେପୁର ଉପନିର୍ବାଚରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ୯୭,୯୯୪ ଭୋଟରେ ମାତ୍ ରେକର୍ଡ ସୃଷ୍ଟି କରିଛନ୍ତି । ରୀତା ସାହୁ ଚଳିତ ଉପନିର୍ବାଚରେ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ ପାଇଛନ୍ତି ।
ସୂଚନା ଅନୁଯାୟୀ, ବିଜେପୁର ଉପନିର୍ବାଚ ପାଇଁ ଯେତେବେଳେ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରସ୍ତୁତ କରାଯାଉଥିଲା ସେତେବେଳେ ରୀତାଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସେ ତାଲିକାରେ ଥିଲା । ବିଜେପୁର ସର୍ଭେ ରିପୋର୍ଟ ଅନୁଯାୟୀ ରୀତାଙ୍କ ସ୍ଥିତି ସେଠାରେ ଏତେ ସୁଦୃଢ଼ ନଥିବା ଶୁଣିବାକୁ ମିଳୁଥିଲା । ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ବଦଳାଇ ନଥିଲେ । ସେ ରୀତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ । ଯାହାକି ଆଜି ବିଜେଡିର ଐତିହାସିକ ବିଜୟରେ ପରିଣତ ହୋଇଛି । ଏହି ଐତିହାସିକ ବିଜୟ ପାଇଁ ରୀତା ସାହୁଙ୍କୁ ଫୋନଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ରୀତାଙ୍କ ଏହି ବିଜୟ ପଛରେ ମନ୍ତ୍ରୀ ଅରୁଣ ସାହୁ, ବିଜେଡିର ତୁଙ୍ଗନେତା ସଞ୍ଜୟ ଦାସବର୍ମା ଓ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ଦଳର ସ୍ୱାଭିମାନ ବଜାୟ ରଖିବାରେ ସଫଳ ହୋଇଛି ।