ରିକ୍ସା ଚାଳକ ମଙ୍ଗଲ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରବିବାର ବାରଣାସୀ ଗସ୍ତ ସମୟରେ ଝିଅ ବାହାଘରକୁ ନିମନ୍ତ୍ରଣ କରିଥିବା ଉତ୍ତର ପ୍ରଦେଶର ରିକ୍ସା ଚାଳକ ମଙ୍ଗଲ୍ କେୱାତଙ୍କୁ ପ୍ରଧାନମନ୍ତ୍ରୀ ଦେଖାକରିଛନ୍ତି। ଏହି ସମୟରେ ସେ କେୱାତ୍‌ଙ୍କ ପରିବାରର ଅସୁବିଧାସୁବିଧା ପଚାରି ବୁଝିବା ସହ କେୱାତ୍‌ ‘ସ୍ୱଚ୍ଛ ଭାରତ ଅଭିଯାନ’ର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ତାଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ କରିଥିଲେ।

ମଙ୍ଗଲ୍ ତାଙ୍କ ଝିଅ ବାହାଘରର ଏକ ନିମନ୍ତ୍ରଣ ପତ୍ର ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ଫେବ୍ରୁଆରୀ ୧୨ ତାରିଖରେ ତାଙ୍କ ଝିଅ ବାହାଘର ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ବାହାଘରରେ ସାମିଲ ହୋଇପାରି ପାରିବାରୁ ଚିଠି ଲେଖି ତାଙ୍କ ଝିଅଙ୍କୁ ଶୁଭକାମନା ଓ ଆଶୀର୍ବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇବା ପରେ ମଙ୍ଗଲଙ୍କ ପରିବାର ଖୁସିବ୍ୟକ୍ତ କରିଥିଲେ। ଏହାକୁ ନେଇ ସେ କହିଥିଲେ, ‘ଝିଅର ବାହାଘର ଦିନ ହିଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି ମିଳିଥିଲା। ଏହି ଚିଠି ପାଇବେ ବୋଲି ସେ କେବେ ବି ଆଶା କରି ନଥିଲେ।’ ଚିଠି ପାଇ ସେ ଓ ତାଙ୍କ ଘର ଲୋକେ ଆତ୍ମହରା ହୋଇପଡ଼ିଥିଲେ। ସେ ତାଙ୍କର ସମସ୍ତ ଅତିଥିଙ୍କୁ ଉକ୍ତ ଚିଠି ଦେଖାଇଥିଲେ।

ସୂଚନାଯୋଗ୍ୟ, ମଙ୍ଗଲ୍ କେୱାତ ଓ ତାଙ୍କ ସ୍ତ୍ରୀ ରେଣୁ ଦେବୀ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ ସମୟରେ ତାଙ୍କୁ ଭେଟିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ତେଣୁ ରବିବାର ଦୁହିଁଙ୍କର ଅନୁରୋଧ ରକ୍ଷା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଦେଖା କରିଥିଲେ।

Leave a comment