ଅଣଛାତ୍ରଙ୍କ ପ୍ରବେଶକୁ ରୋକିବା ପାଇଁ ରେଭେନ୍ସା ପକ୍ଷରୁ କଟକଣା, ଏଣିକି ରାତି ସାଢ଼େ ୯ଟା ପରେ କ୍ୟାମ୍ପସ୍‌ରେ ଏଣ୍ଟ୍ରି ମନା

0

କ୍ୟାମ୍ପସ୍‌ରେ ଅଣଛାତ୍ରଙ୍କ ପ୍ରବେଶକୁ ରୋକିବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକଣା ଜାରି କରାଯାଇଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରଣ କରାଯାଇଛି । ଜାରି କରାଯାଇଥିବା ସମୟ ନିର୍ଘଣ୍ଟକୁ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନେ ମାନିବାକୁ ନୋଟିସରେ କୁହାଯାଇଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ବହୁବାର ବିଶୃଙ୍ଖଳା ଦେଖାଦେଇଛି । କିଛି ଦିନ ତଳେ ରେଭେନ୍ସାରେ ଥିବା ହଷ୍ଟେଲଗୁଡିକରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ ହୋଇଥିଲା । ହେଲେ ସେମାନଙ୍କୁ ରୋକିବାକୁ ସୁରକ୍ଷା କର୍ମୀ ଅସମର୍ଥ ପ୍ରକାଶ କରିଥିବାବେଳେ ଅନ୍ତେବାସୀଙ୍କ ପରିଚୟପତ୍ର ଯାଞ୍ଚ୍‌ କରି ଭିତରକୁ ଛାଡ଼ୁଥିଲେ । ଯାହାକୁ ନେଇ ଅନ୍ତେବାସୀ ଅଭିଯୋଗ ଉଠାଇଥିଲେ । ଅନ୍ତେବାସୀଙ୍କ ଅଭିଯୋଗ ଓ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ନୋଟିସ୍‌ ଜାରି କରିଛନ୍ତି ।

କ୍ୟାମ୍ପସରେ କେଉଁ ସମୟରେ ଏବଂ କେଉଁ ଗେଟ୍‌ରେ ଗାଡ଼ି ଏବଂ ଲୋକମାନେ ପ୍ରବେଶ କରିବେ ସେନେଇ ନୋଟିସରେ କୁହାଯାଇଛି । ସମସ୍ତ କାର୍ଯ୍ୟ ଦିବସରେ ଗେଟ୍‌ ନମ୍ବର-୧ ରେ କେବଳ ପ୍ରସ୍ଥାନ କରିବାକୁ ନୋଟିସରେ କୁହାଯାଇଛି । କେବଳ ଶନିବାର ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗେଟ୍‌କୁ ବନ୍ଦ ରଖାଯିବ । ସେହିପରି ଗେଟ୍‌ ନମ୍ବର-୨ରେ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ । ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଗେଟ୍‌ ବନ୍ଦ ରହିବ । ଏଥିପାଇଁ ଗେଟ୍‌ ନମ୍ବର-୩ରେ ଏହି ସମୟ ମଧ୍ୟରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ । କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଧିକାରୀମାନେ ଗେଟ୍‌ ନମ୍ବର-୨ରେ ରାତି ସାଢ଼େ ୯ଟା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହାସହ ଉକ୍ତ ଗେଟ୍‌ରେ କାର୍ଯ୍ୟଦିବସ ଏବଂ ଛୁଟି ଦିନରେ ମଧ୍ୟ ଛାତ୍ରଛାତ୍ରୀମାନେ ଛୋଟ ଗେଟ୍‌ରେ ଚଳପ୍ରଚଳ କରିପାରିବେ । ପିଲିଗ୍ରୀମ ରାସ୍ତାରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ କେବଳ ସନ୍ଧ୍ୟା ୬ରୁ ସକାଳ ୮ ପର୍ଯ୍ୟନ୍ତ ଗେଟ୍‌ ନମ୍ବର-୪ରେ ପ୍ରବେଶ ଏବଂ ପ୍ରସ୍ଥାନ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଛୁଟି, ରବିବାର ଏବଂ ସରକାରୀ ଛୁଟିରେ କେବଳ ଗେଟ୍‌ ନମ୍ବର-୪ ଖୋଲାରହିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି ।

Leave a comment