ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲା ବିସିସିଆଇ, ଧୋନିଙ୍କ ପାଖରେ ଆହୁରି ବହୁତ କ୍ରିକେଟ ବାକି ଅଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଭାରତୀୟ ଦଳକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କାର୍ଯକାରୀ ସଭାପତି ସି.କେ. ଖାନ୍ନା ଓ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାୟନା ଇଦୁଲଜୀ ମଧ୍ୟ ଭାରତର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।

ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନକୁ ତାରିଫ କରିଥିବା ବେଳେ ସେମିଫାଇନାଲରେ ଦଳର ପ୍ରଦର୍ଶନକୁ ନୈରାଶ୍ୟଜନକ ବୋଲି ଉଭୟ କହିଛନ୍ତି । ଲିଗ୍‌ ପର୍ଯ୍ୟାୟରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ତେବେ ସେମିଫାଇନାଲରେ ଦୁର୍ଭାଗ୍ୟଜନକ ଭାବେ ବର୍ଷା କାରଣରୁ ମ୍ୟାଚ୍‌ ଦ୍ୱିତୀୟ ଦିନକୁ ଯାଇଥିଲା । ଆରମ୍ଭରୁ ୩ଟି ଉଇକେଟ ହରାଇ ଭାରତ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା ବୋଲି ଇଦୁଲଜୀ କହିଛନ୍ତି । ତେବେ ରବୀନ୍ଦ୍ର ଜାଡେଜା ଓ ଧୋନୀ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଜାଜେଡା ଓ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ବିସିସିଆଇ ପ୍ରଶାସନିକ ସମିତି ସଦସ୍ୟ ଡାୟନା କହିଛନ୍ତି ଧୋନି ଅବସର ନେବେ କି ନାହିଁ, ତାହା ତାଙ୍କର ନିଷ୍ପତ୍ତି । ଆଗାମୀ ଦିନରେ ଖେଳିବା ପାଇଁ ତାଙ୍କ ଶରୀର କେତେ ଫିଟ୍‌ ସେକଥା ସେ ହିଁ ଜାଣିଥିବେ । କିନ୍ତୁ ଏବେ ବି ତାଙ୍କ ପାଖରେ ଆହୁରି ବହୁତ କ୍ରିକେଟ୍‌ ବାକି ରହିଛି । ଦଳର ଯୁବ ପିଢ଼ିଙ୍କ ସହ ଖେଳି ସେ ସେମାନଙ୍କର ପଥ ପ୍ରଦର୍ଶକ ହେବା ଉଚିତ୍ ବୋଲି ଡାୟନା କହିଛନ୍ତି ।

ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନଥିବା ବେଳ ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ମଧ୍ୟ ଏ ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ କରି ସାରିଛନ୍ତି ।

Leave a comment