ଦିଲ୍ଲୀରୁ ଫେରିଲେ ରାଜ୍ୟପାଳ, ହେବ ଅଦଳବଦଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ତ୍ରୀଙ୍କୁ ମଗାଯାଇଛି ରିପୋର୍ଟ କାର୍ଡ । ୨୦୧୯ ଜୁନ ୧ ତାରିଖର ରିପୋର୍ଟ ଠାରୁ ଆରମ୍ଭ କରି ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରିପୋର୍ଟ ମଗାଯାଇଛି । ଇତି ମଧ୍ୟରେ ୨୧ଟି ମନ୍ତ୍ରୀ ଙ୍କ ମଧ୍ୟରୁ ରବିବାର ପର୍ଯ୍ୟନ୍ତ ୧୫ ଜଣଙ୍କର କାର୍ଡ ତର୍ଜମା ସରିଲାଣି । ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମଗାଯିବା ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଯାହା ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବା ନେଇ ଆଭାସ ମିଳୁଛି । ରାଜ୍ୟପାଳ ଦିଲ୍ଲୀ ଗ୍ରସ୍ତରେ ଥିବାରୁ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ଅର୍ଥାତ ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ଏହି ଅଦଳବଦଳ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ୩ ବର୍ଷ ପୂର୍ତ୍ତି ହେବାକୁ ଯାଉଅଛି । ଗତ ଦୁଇବର୍ଷ ମଧ୍ୟରେ ଅନେକ ଥର ଚର୍ଚ୍ଚା ପରେ ମଧ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିନଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବାଜିମାତ ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଫୁଲ ଦମରେ ଦଳକୁ ଅଧିକ ସଂଗଠିତ ଏବଂ ସୁଦୃଢ଼ କରିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । କିଛି ସ୍ଥାନରେ ବିଜେଡି ବହୁତ ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ସ୍ଥାନରେ ବିରୋଧୀଙ୍କ ସହ କଡ଼ା ମୁକାବିଲା କରିବାକୁ ପଡିଛି । ତେଣୁ ତୃଣମୂଳ ସ୍ତରରୁ ଦଳକୁ ଅଧିକ ମଜବୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ । ୨୦୨୪ ପରିବର୍ତ୍ତେ ୨୦୨୩ ରେ ସାଧାରଣ ନିର୍ବାଚନ ହେବା ନେଇ ଆଶଙ୍କା ଥିବାରୁ କାଳବିଲମ୍ବ ନକରି ରାଜ୍ୟର ସମସ୍ତ ସ୍ଥାନରେ ନିଜ ସ୍ଥିତି ଅଧିକ ସୁଦୃଢ କରିବାରେ ତତ୍ପର ହେଲାଣି ବିଜେଡି । ତେଣୁ ଏ ମନ୍ତ୍ରୀ ମଣ୍ଡଳ ଯେ କେବଳ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଭିତ୍ତି କରି ଅଦଳବଦଳ କରାଯାଉଛି ତାହାନୁହେଁ । ଏଥିରେ କିଛି କେଳଙ୍କାରୀ ସହ ଜଡିତ ମନ୍ତ୍ରୀଙ୍କ ନାଁ ଥିବା ବେଳେ କିଛି ମନ୍ତ୍ରୀଙ୍କୁ ଦଳକୁ ଅଧିକ ସଙ୍ଗଠିତ କରିବା ଦାୟିତ୍ୱ ପ୍ରଦାନ କରାଯିବା ନେଇ ବିଚାରବିମର୍ଷ ଚାଲିଛି । ଏହି ମାନସ ମନ୍ଥନ ପରେ ୮ ମନ୍ତ୍ରୀ ବିଦା ହେବା ନେଇ ଏକ ଆକଳନ କରାଯାଇଛି । ପୂର୍ବରୁ ଗୋଟିଏ ମନ୍ତ୍ରୀ ପଦ ଖାଲି ଥିବାରୁ ୯ ନୂଆ ମନ୍ତ୍ରୀ ହେବା ନେଇ ସୂଚନା ମିଳିଛି । ଏହି ନୂଆ ମନ୍ତ୍ରୀ ମଣ୍ଡଳରେ କିଛି ନୂଆ ଏବଂ କିଛି ଅଭିଜ୍ଞ ବିଧାୟକଙ୍କୁ ସୁଯୋଗ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରିଥିବା ଅନୁମାନ କରାଯାଉଛି । ସେହିପରି ବାଚସ୍ପତି ଏବଂ ଉପ ବାଚସ୍ପତି ମଧ୍ୟ ବଦଳିବା ନେଇ ଚର୍ଚ୍ଚା ହେଉଛି ।
ଯେଉଁମାନଙ୍କର ମନ୍ତ୍ରୀ ପଦ ଯାଇପାରେ ସେମାନେ ହେଲେ ଦିବ୍ୟଶଙ୍କର ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରତାପ ଜେନା, ପଦ୍ମନାଭ ବେହେରା, ସମୀର ଦାସ , ସୁଶାନ୍ତ ସିଂ।
ସେହିପରି ନୂଆ ମନ୍ତ୍ରୀ ପଦ ସମ୍ଭାବ୍ୟ ତାଲିକା ପ୍ରତାପ ଦେବ/ଅତନୁ ସବ୍ୟସାଚୀ, ପ୍ରଫୁଲ୍ଲ ସାମଲ/ ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ/ରାଜେନ୍ଦ୍ର ସାହୁ, ଦେବୀ ମିଶ୍ର, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, ସାରଦା ନାୟକ, ପ୍ରୀତମ ପାଢ଼ୀ, ରିତା ସାହୁ, ଅଶ୍ୱିନୀ ପାତ୍ର, ବାସନ୍ତି ହେମ୍ବ୍ରମ, , ସୂର୍ଯ୍ୟ ପାତ୍ର ନାଁ ତାଲିକାର ଶୀର୍ଷରେ ଥିବା ଚର୍ଚ୍ଚା ହେଉଛି । ୨୦୨୩ରେ ସାଧାରଣ ନିର୍ବାଚନ ସମ୍ଭାବନା ଥିବାରୁ ଏକ ବର୍ଷ ଭିତରେ ଦଳରେ ସାଙ୍ଗଠନିକ ସମନ୍ୱୟ ରଖିବା ପାଇଁ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରାଯିବା ସମ୍ଭାବନା ଅଧିକ ।