ଓଡ଼ିଶାରୁ ବିଜେଡି ହଟାଅ ଆହ୍ବାନ ଦେଲେ ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ସୋମବାର ଆୟୋଜିତ ବିଜୟ ସଙ୍କଳ୍ପ ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ଧୁମ ବର୍ଷିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ର୍ନିବାଚନୀ ସଭାରେ ଯୋଗଦେଇ ଶାହା ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଥିଲେ । ଏଥିସହ ଗତ ୧୯ବର୍ଷ ଧରି ଓଡ଼ିଶାରେ ବିଜେଡି ଶାସନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଶିଖିପାରିନାହାନ୍ତି ବୋଲି କଟାକ୍ଷ କରିଥିଲେ । ଦୀର୍ଘବର୍ଷ ଶାସନକାଳ ପରେ ବି ବିଜେଡି ଓଡ଼ିଶାର କିଛି ଉନ୍ନତି କରିପାରିନାହିଁ । ଏଠାକାର ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ସୁରଟରେ କରିଥିବା ସଭାରେ ୩୦ହଜାର ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ । ୨୦୧୯ ନିର୍ବାଚନ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ । ତେଣୁ ଏଥର ଓଡ଼ିଶାବାସୀ ବିଜେପି ଉପରେ ଭରଷା କରି ରାଜ୍ୟରୁ ବିଜେଡିକୁ ଓପାଡ଼ି ଫୋପାଡି ଦେବାକୁ ଶାହା ଆହ୍ବାନ ଦେଇଥିଲେ । ଯଦି ଏଥର ଓଡ଼ିଶାରେ ବିଜେପି ଆସେ ଦେଶରେ ଓଡ଼ିଶା ଆସନ୍ତା ୫ବର୍ଷରେ ଏକ ନମ୍ବର ରାଜ୍ୟ ହେବ ବୋଲି ଶାହା ଉଦ୍‌ବୋଧନ ଦେଇଥିଲେ ।

Leave a comment