ସଂଶୋଧନ ହେବ ତିନି ତଲାକ୍‌  ବିଲ୍, ଆଜି ଲୋକ ସଭାରେ ଆଲୋଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତତ୍କାଳ ତିନି ତଲାକ୍‌ ପ୍ରଥାକୁ ଦଣ୍ଡନୀୟ ଅପରାଧ କରିବା ଲାଗି ଅଣାଯାଇଥିବା ବିଲ୍‌ ଉପରେ ଗୁରୁବାର ଲୋକ ସଭାରେ ବିତର୍କ ହେବ । ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ଏହି ବିଲ୍‌ ଉପରେ ଆଲୋଚନା ଲାଗି କଂଗ୍ରେସ ଗତ ସପ୍ତାହରେ ରାଜି ହେବା ପରେ ୨୭ ତାରିଖରେ ବିତର୍କ ପାଇଁ ସ୍ଥିର ହୋଇଥିଲା । ଦୀର୍ଘ ଦିନ ହେବ ପଡିରହିଥିବା ତିନ୍ ତଲାକ୍ ବିଲକୁ ଲୋକସଭାରେ ପାରିତ କରିବା ପାଇଁ ଆଜି ସମସ୍ତ ପ୍ରସ୍ତୁତି କରିଛି କେନ୍ଦ୍ର ସରକାର । ତିନତଲାକ ବିଧେୟକ ଉପରେ ଆଲୋଚନା ପାଇଁ ପୂର୍ବରୁ ଆଜି ଦିନକୁ ସ୍ଥିର କରାଯାଇଥିଲା । ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ-୨୦୧୮ ଉପରେ ଅଲୋଚନାରେ ଭାଗ ନେବା ପାଇଁ ପୂର୍ବରୁ ସହମତି ପ୍ରକାଶ କରିଛି କଂଗ୍ରେସ । ସପ୍ତାହାନ୍ତ ଛୁଟି ଏବଂ ଖ୍ରୀଷ୍ଟମାସ ପାଇଁ ଶନିବାରଠାରୁ ଅଧିବେଶନ ବନ୍ଦ ଥିବାବେଳେ ଗୁରୁବାର ଆରମ୍ଭ ହେଉଛି ।
 
ଗତ ସେପ୍ଟେମ୍ବର ମାସରେ ସରକାର ତିନି ତଲାକକୁ ଦଣ୍ଡନୀୟ ଅପରାଧ କରିବା ଲାଗି ଅଧ୍ୟାଦେଶ ଆଣିଥିଲେ । ଏହା ବଦଳରେ ଆଇନ ଆଣିବା ଲାଗି ଗତ ୧୭ ତାରିଖରେ ଲୋକ ସଭାରେ ମୁସଲମାନ ମହିଳା (ବିବାହ ଅଧିକାରର ସୁରକ୍ଷା) ବିଲ୍‌, ୨୦୧୮ ଅଣାଯାଇଥିଲା । ଏକକାଳୀନ ତିନି ତଲାକ ଦେବାକୁ ବିଲ୍‌ରେ ବେଆଇନ ଦର୍ଶାଯାଇଛି, ଏଥିପାଇଁ ସ୍ବାମୀଙ୍କୁ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ । ପୂର୍ବରୁ ଲୋକ ସଭାରେ ଗୃହୀତ ହୋଇଥିବା ତିନି ତଲାକ ବିଲ୍‌ ରାଜ୍ୟ ସଭାରେ ବିରୋଧର ସମ୍ମୁଖୀନ ହେବାରୁ ସରକାର ଏଥିରେ କେତେକ ସଂଶୋଧନ ସହ ପୁଣିଥରେ ଉପସ୍ଥାପନ କରିଛନ୍ତି । ଏଥିରେ ଜାମିନ ବ୍ୟବସ୍ଥା ରଖାଯାଇଛି ।

Leave a comment

You cannot copy content of this page