ବଜେଟ୍‌  ପ୍ରତିକ୍ରିୟା, ରାହୁଲ କହିଲେ ସମୁଦ୍ରକୁ ସଙ୍ଖେ, ନବୀନ କହିଲେ ନୈରାଶ୍ୟଜନକ, ଦେଲେ ଫେଲ ମାର୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ ଶୁକ୍ରବାର ସଂସଦରେ ୪ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । କୃଷକ, ଅଣସଂଗଠିତ ଶ୍ରମିକ ଓ ମଧ୍ୟବିତ୍ତଙ୍କ ପାଇଁ ଏହା ସୁହାଇବା ଭଳି ହୋଇଥିବା ବେଳେ ବଜେଟ୍‌କୁ ନେଇ ଭିନ୍ନ ପ୍ରତିକ୍ରିାୟା ପ୍ରକାଶ ପାଇଛି । ବଜେଟ୍‌ ଘୋଷଣା ହେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ  ଗାନ୍ଧୀ କହିଛନ୍ତି, ମୋଦି ତାଙ୍କ ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ କୃଷକମାନଙ୍କୁ ବିପର୍ଯ୍ୟସ୍ତ ମଧ୍ୟକୁ ଠେଲି ଦେଇଛନ୍ତି । ଆଉ ଏବେ କୃଷକଙ୍କ ପାଇଁ ଯେଉଁ ଆର୍ଥତ୍କ ସହାୟତା ଘୋଷଣା କରିଛନ୍ତି ତାହା ସମୁଦ୍ରକୁ ସଙ୍ଖେ ବୋଲି ରାହୁଲ ତାଙ୍କ ଟୁଇଟର ପେଜ୍‌ରେ ଉଲ୍ଲେଖ କରିଛନ୍ତି । ଦିନକୁ ଚାଷୀଙ୍କୁ ମିଳିବାକୁ ଥିବା ୧୭ ଟଙ୍କା କେବଳ ଏକ ଉପହାସ । ସେହିପରି ବଜେଟ୍‌କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏକ୍ସପାଏରୀ ଡେଟ୍‌ ଯିବା ପରେ ମେଡିସିନ ଖାଇବାର କୌଣସି ମୂଲ୍ୟ ନଥାଏ । ମୋଦି ସରକାରଙ୍କ ସମୟ ଶେଷ ହୋଇଥିବା ବେଳେ ଏହି ବଜେଟ୍‌ ଉପସ୍ଥାପନର କୌଣସି ମୂଲ୍ୟ ନାହିଁ ବୋଲି ମମତା କହିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟବର୍ତ୍ତିକାଳୀନ ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି । କାଳିଆ ଯୋଜନା ଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସିଧା ସଳଖ ଆକାଉଣ୍ଟକୁ ୬ ହଜାର ଟଙ୍କା ପଠାଇବା ନିଷ୍ପତ୍ତିକୁ ନବୀନ ସ୍ୱାଗତ କରିଛନ୍ତି ଓ ଏହାର ରାଶି ରାଜ୍ୟ ସରକାରଙ୍କ ପରି ୧୦ହଜାର ହୋଇଥିଲେ ଚାଷୀଙ୍କ ପାଇଁ ଏହା ହିତକାରୀ ହୋଇଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମଧ୍ୟବିତ୍ତଶ୍ରେଣୀର ଲୋକମାନଙ୍କ ପାଇଁ ଆୟକର ଛାଡ଼ ସୀମା ବୃଦ୍ଧି ନିଷ୍ପତିକୁ ମଧ୍ୟ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ସାମାଜିକ ସୁରକ୍ଷା ସ୍କିମ ଯଥା ବାର୍ଦ୍ଧକ୍ୟ କାଳୀନ ଭତ୍ତା ଓ ଅନ୍ୟ ଭତ୍ତାରେ କୌଣସି ପରିବର୍ତ୍ତନ ନହେବ।, ଭୂମିହୀନ ଗରୀବ ଓ ଭାଗ ଚାଷୀଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା ନକରାଯିବା, ଗ୍ରାମାଞ୍ଚଳ ଯୋଗାଯୋଗ, ଗୃହ ନିର୍ମାଣ ଓ ପାନୀୟ ଜଳ ପାଇଁ ବଜେଟ ଆବଣ୍ଟନରେ କୌଣସି ପରିବର୍ତ୍ତନ ନକରାଯିବା, ଏସଟି/ଏସସିଙ୍କ ପାଇଁ ବଜେଟରେ ହୋଇଥିବା ଆବଣ୍ଟନ ମଧ୍ୟ ଯଥେଷ୍ଟ ନୁହେଁ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ତେଣୁ ଏହି ବଜେଟକୁ ନୈରାଶ୍ୟଜନକ କହିବା ସହ ମୋଦିଙ୍କୁ ୧୦ରୁ ଅଢେଇ ଦେଇ ଫେଲ ମାର୍କ ଦେଇଛନ୍ତି ।

ସେହିପରି ଓଡ଼ିଶାକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୧ଲକ୍ଷ ୮୪ହଜାର ୦୭୦କୋଟି ଟଙ୍କା ମିଳିବାକୁ ଥିବାବେଳେ ବାସ୍ତବ କ୍ଷେତ୍ରରେ ଏହା ୧ଲକ୍ଷ ୫୭ହଜାର ୮୨୮କୋଟି ଟଙ୍କା ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଆକଳନ ଓ ୨୦୧୮-୧୯ ସଂଶୋଧିତ ବଜେଟ୍ ଆକଳନରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାକୁ ୨୬ହଜାର ୩୪୨ କୋଟି ଟଙ୍କା କମ୍ ମିଳିବ । ତେଣୁ ରାଜ୍ୟ ସରକାରଙ୍କୁ ୨୬ହଜାର ୩୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ।

Leave a comment

You cannot copy content of this page