ଅଶୋଧିତ ତୈଳର ମୂଲ୍ୟ ହ୍ରାସ : ଲାଭ ଉଠାଇ ଆମେରିକାରେ ସାଇତିବ ଭାରତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ‘ ଏବେ ଅଶୋଧିତ ତେଲ ମୂଲ୍ୟ ଉଲ୍ଲେଖନୀୟ ମାତ୍ରାରେ ହ୍ରାସ ପାଇଛି, ଯାହାର ଲାଭ ଉଠାଇବାକୁ ବ୍ୟଗ୍ର ଭାରତ । ଏହି ତେଲ ଆମର ଭବିଷ୍ୟତର ଚାହିଦାକୁ ପୂରଣ କରିବ ଏବଂ ଆମଦାନି ହେଉଥିବା ବିଲ୍କୁ ଯଥେଷ୍ଟ ମାତ୍ରାରେ ସଙ୍କୁଚିତ କରିବ ବୋଲି ଏ ସଂକ୍ରାନ୍ତରେ ମତବ୍ୟକ୍ତ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାରେ ଏ ନେଇ ବିରାଟ ସମ୍ଭାବନା ରହିଛି । କିଛି ମାତ୍ରାରେ ତେଲ ଆମେ ସେଠାରେ ରଖିବା ପାଇଁ ବିଚାର କରୁଅଛୁ । ବର୍ତ୍ତମାନ ପରିସ୍ଥିତିରେ ଅଶୋଧିତ ତୈଳ ଦର ରେକର୍ଡ ସ୍ତରକୁ ଖସିଆସିଛି ।
ଏହାର ଯଥାସମ୍ଭବ ଲାଭ ଉଠାଇ ଆମେରିକାଠାରୁ ଶସ୍ତା ତେଲ କିଣି ସେହିଠାରେ ହିଁ ମହଜୁଦ ରଖିବାର ବ୍ୟବସ୍ଥା କରିବା ପାଇଁ ଭାରତ ଯୋଜନା କରୁଥିବା ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ, ଲକ୍ଡାଉନ୍ ପାଇଁ ଚାହିଦା ବହୁ ମାତ୍ରାରେ ହ୍ରାସ ପାଇଛି । ବଜାର ଅଂଶ ବଢ଼ାଇବା ପାଇଁ ବିଶ୍ୱର ତିନି ପ୍ରମୁଖ ତୈଳ ଉତ୍ପାଦନକାରୀ ସାଉଦି ଆରବ, ରୁଷିଆ ଏବଂ ଆମେରିକା ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି । ଆବଶ୍ୟକଠାରୁ ଅଧିକ ଉତ୍ପାଦନ କରି ଏମାନେ ବିଶ୍ୱ ତୈଳ ବଜାରରେ ପ୍ରତ୍ୟକ୍ଷଭାବରେ ଅନାବଶ୍ୟକ ସମସ୍ୟା ସୃଷ୍ଟି କରାଇଛନ୍ତି । ଏପରି କରି ସେମାନେ ତୈଳ ଦରକୁ ଦୁଇ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସାଇ ଦେଇଛନ୍ତି । କିନ୍ତୁ କିଛି ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକର ନିଜସ୍ୱ ଉଦ୍ୟମ ଫଳରେ ଏବେ ଦରରେ ସାମାନ୍ୟତମ ବୃଦ୍ଧି ପରିଲକ୍ଷିତ ହେଉଛି । ଭାରତ ବିଶ୍ୱର ତୃତୀୟ ବୃହତ୍ ତୈଳ ଆମଦାନିକାରୀ ରାଷ୍ଟ୍ର ।
ଏବେ ଦେଶରେ ୫୩.୩ ଲକ୍ଷ ଟନ୍ ତେଲ ମହଜୁଦ ହୋଇସାରିଛି । ବିଶ୍ୱର ଅନେକ ରାଷ୍ଟ୍ରରେ ଭାରତ ତା’ର ନିଜସ୍ୱ ତୈଳ ଜାହାଜରେ ପ୍ରାୟ ୮୫ରୁ ୯୦ ଲକ୍ଷ ଟନ୍ ତେଲ ଭବିଷ୍ୟତ ପାଇଁ ସାଇତି ରଖିଛି । ଯାହାକି ଦେଶର ବାର୍ଷିକ ଆବଶ୍ୟକତାର ପ୍ରାୟ ୨୦% । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଷ୍ଟ୍ରେଲିଆ ଏଭଳି କରିବା ପାଇଁ ନିଷ୍ପତ୍ତି ନେଇସାରିଛି । ଏହା କରି ଉକ୍ତ ଦେଶ ଆପାତକାଳୀନ ସ୍ଥିତିରରେ ଏହି ତୈଳ ଭଣ୍ଡାର ତେଲକୁ ଉପଯୋଗ କରିବାକୁ ଚାହୁଁଛି ।