ରଥଯାତ୍ରା ପ୍ରସଙ୍ଗ: ମଉଳିନି ଆଶା, ସୋମବାରକୁ ନିଷ୍ପତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆସିବାପରେ ସାରା ରାଜ୍ୟରେ ବିରୋଧର ସ୍ୱର ଉଠିଛି।ସରକାର ଠିକ ତଥ୍ୟ ଦେଇ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଚାରିଆଡୁ ଚାପ ପଡିବାପରେ ରଥଯାତ୍ରା ସପକ୍ଷରେ ଶୁକ୍ରବାର ଛତିଶା ନିଯୋଗ ପକ୍ଷରୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ସାନି ବିଚାର ପାଇଁ ଦୁଇଟି ପିଟିସନ୍ ପଡ଼ିଛି । ସେହିଭଳି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ରାଜ୍ୟ ସରକାର ସାନି ଆବେଦନ କରନ୍ତୁ ବୋଲି ଛତିଶା ନିଯୋଗ ଏବଂ ପରିଚାଳନା କମିଟି ମଧ୍ୟରେ ହୋଇଥିବା ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ଏହାକୁ ଗ୍ରହଣ କଲେ ଆସନ୍ତା ସୋମବାର ଦିନ ରଥଯାତ୍ରା ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ ।
ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ମଧ୍ୟରେ ଶୁକ୍ରବାର ସଂଧ୍ୟାରେ ବୈଠକ ହୋଇଥିଲା । କୋଭିଡ୍ ନିୟମ ଭିତରେ ବିନା ଭକ୍ତରେ ରଥଯାତ୍ରା କରାଯିବାରେ କୌଣସି ଅସୁବିଧା ନାହିଁ । ଏଣୁ ଏହାକୁ ବନ୍ଦ କରାଯିବା ଉଚିତ୍ ନୁହେଁ ବୋଲି ସମସ୍ତେ ଏକମତ ହୋଇଥିବା ପରିଚାଳନା କମିଟି ସଭାପତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି ।
ଗଜପତି ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ରଥଯାତ୍ରା ସମ୍ପନ୍ନ ପାଇଁ ପୂର୍ବରୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ଅବଗତ କରାଯାଇଥିଲା । ରଥଯାତ୍ରାରେ ୧୦ରୁ ୧୨ ଲକ୍ଷ ଭକ୍ତ ସମାଗମ ହେବ ଏକଥା ସରକାରଙ୍କୁ କୁହାଯାଇ ନ ଥିଲା । ବରଂ ବିନା ଭକ୍ତରେ ଏହାକୁ ଶୃଙ୍ଖଳାର ସହ କରାଯାଇପାରିବ ବୋଲି ପ୍ରସ୍ତାବ ଦିଆଯାଇଥିଲା ।
ଗଜପତି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିଲା ରଥଯାତ୍ରା ପାଇଁ ସୁପ୍ରିମ୍ କୋର୍ଟ ଙ୍କୁ ମନାଇବା । କରୋନା ରଥଯାତ୍ରାରେ କୌଣସି ଅସୁବିଧା ସୃଷ୍ଟି କରିପାରିବ ନାହିଁ ବୋଲି କହିପାରିଥାଆନ୍ତେ । ମାତ୍ର ସରକାର ତାହା କରିନାହାନ୍ତି । ପରିଚାଳନା କମିଟି ପକ୍ଷରୁ ସୁପ୍ରିମ୍ କୋର୍ଟରେ ଓକିଲ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଯୁକ୍ତି ବିରୋଧରେ ଯିବା ସମ୍ଭବ ନ ଥିଲା । କାରଣ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳନା କମିଟି ରହିଛି ।