ରଥରେ ଲାଗିଲା କଳସ, ସୁପ୍ରିମକୋର୍ଟରେ ଶୁଣାଣି ୧୮କୁ ଧାର୍ଯ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିନିରଥରେ ମଙ୍ଗଳବାର କଳସ ଲଗାଯାଇଛି। ପ୍ରଭାରେ ରୂପକାର ଖୋଦେଇ ଶେଷ କରିଛନ୍ତି। ଚିତ୍ରକାରଙ୍କ ଦ୍ବାରା ରଙ୍ଗ କରାଯାଉଛି। ତିନିରଥ କଳସରେ ଓଲଟ ସୁଆ ଲଗାଯାଇଛି। ବିଜେ ଆସ୍ଥାନ ଉପରେ କନକମୁଣ୍ଡି ରହିଛି। ତିନିରଥରେ ପଟାପକା କାର୍ୟ୍ୟ ଶେଷହୋଇଛି। ପାର୍ଶ୍ବ ଦେବଦେବୀ, ସାରଥୀ, ଶିଖରଡମ୍ବରୁ, ରଥଅଶ୍ବ, ହଂସପଟାରେ ରଙ୍ଗ କରାଯାଉଛି। ରଥଚକ ଓ କୋଣଗୁଜ ସମେତ ବିଭିନ୍ନ ଅଂଶରେ ରଙ୍ଗ କରାଯାଉଛି। ଦରଜି ସେବକମାନେ ରଥକନା ସିଲାଇ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ପ୍ରଭାବିଡିଆ କଣ୍ଟା ପ୍ରସ୍ତୁତ କରାଯାଉଛି।

ଆଉ ୨ଦିନ ଭିତରେ ରଥ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେବିଷୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲା ଗୁଡ଼ିକର ଶୁଣାଣି ଆସନ୍ତା ଜୁନ ୧୮ରେ ହେବ। ପ୍ରଧାନ ବିଚାରପତି ଶରଦ ଏସ ବୋବଡ଼େ, ବିଚାରପତି ଏ ଏସ ବୋପାନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଦାଖଲ ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରିବେ।
ସୁପ୍ରିମକୋର୍ଟ ଶୁଣାଣିରେ ଓଡ଼ିଶା ବିକାଶ ପରିଷଦ ତରଫରୁ ଦାଖଲ ମୂଳ ରିଟ, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର ପକ୍ଷଭୁକ୍ତ ଆବେଦନ ଓ ଜୟନ୍ତ କୁମାର ବଳଙ୍କ କାଭିଏଟ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି।

Leave a comment