ନନ୍ଦିଘୋଷ ରଥ ଭାଙ୍ଗିଲେ ମା ମହାଲକ୍ଷ୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମବେଦୀ ଗୁଣ୍ତିଚା ମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଆଜି ପବିତ୍ର ହେରାପଞ୍ଚମୀରେ ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଖଣ୍ତେ କାଠ ଭାଙ୍ଗିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ ଅଧର ଚୁମ୍ୱିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ଗତକାଲି ତିନିରଥକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇ ମରାମତି କରାଯାଇଛି।

ନବଦିନାତ୍ମକ ଘୋଷଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଅଛନ୍ତି। ଆଜି ପବିତ୍ର ହେରାପଞ୍ଚମୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ମହାଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀକୁ ଆସିଥିବାରୁ ମା ମହାଲକ୍ଷ୍ମୀ ଅଭିମାନ କରିଛନ୍ତି। ଶ୍ରୀମନ୍ଦିରରୁ ମା ବିମାଳାଙ୍କ ପରାମର୍ଶରେ ମୋହିନୀ ଚୂର୍ଣ୍ଣ ଧରି ଆଜି ମା ମହାଲକ୍ଷ୍ମୀ ପାଲିଙ୍କିରେ ନନ୍ଦିଘୋଷ ରଥ ନିକଟକୁ ଆସି ରାଗ ଜର୍ଜରିତ ହୋଇ ଖଣ୍ଡେ ରଥକାଠ ଭାଙ୍ଗିଛନ୍ତି। ଗୁଣ୍ତିଚା ମନ୍ଦିରରେ ସନ୍ଧ୍ୟାଧୂପ ଚାଲିଥିବାରୁ ଟେରା ପଡ଼ିଥାଏ। ଦର୍ଶନ ନପାଇ କେବଳ ଆଜ୍ଞାମାଳ ପାଇ ମା ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ନନ୍ଦିଘୋଷ ରଥ ନିକଟରେ ପତି ମହାପାତ୍ର ସେବାୟତ କାଠ ଘୋଡ଼ାରେ ଚଢ଼ି ମା ମହାଲକ୍ଷ୍ମୀଙ୍କୁ ଆଳତି, ବନ୍ଦାପନା ଓ ଦହିପଟି ମଣୋହି କରିଛନ୍ତି। ଏହା ପରେ ଉକ୍ତ ପ୍ରସାଦକୁ ଶ୍ରୀନହର ପଠାଯାଇଛି। ଏଥିସହ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମା ମହାଲକ୍ଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ତିନିରଥର ଦକ୍ଷିଣମୋଡ଼ କରାଯିବ। ଏଥିପାଇଁ ଗତକାଲି ରଥର ମୁଖ୍ୟ ମହାରଣା, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ, ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନି ରଥର ଯାଞ୍ଚ କରିଥିବା ବେଳେ ଆବଶ୍ୟକ ଛୋଟ ମୋଟ ମରାମତି କରିଛନ୍ତି। କୋଭିଡ଼ ୧୯ କଟକଣା ଯୋଗୁ ଭକ୍ତ ମାନେ ମହାପ୍ରଭୁଙ୍କୁ ଆଡପ ମଣ୍ତପରେ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି।

Leave a comment