ଦେବାଳିଆ ଆଇନ ସଂଶୋଧନ ବିଲ୍‌-୨୦୨୦ ରାଜ୍ୟସଭାରେ ଗୃହିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେବାଳିଆ ଆଇନ ଦ୍ୱିତୀୟ ସଂଶୋଧନ ବିଲ୍‌-୨୦୨୦ ଶନିବାର ରାଜ୍ୟସଭାରେ ପାସ୍ ହୋଇଛି। ୨୦୧୬ ଦେବାଳିଆ ଆଇନରେ କେତେକ ସଂଶୋଧନ ଅଣାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍‌କୁ ଉପସ୍ଥାପନ କରିଥିଲେ। ବ୍ୟକ୍ତିବିଶେଷ ଓ କମ୍ପାନୀମାନେ ଯେତେବେଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି, ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ। ଏହି ବିଲ୍ ଦେବାଳିଆ ସଂଶୋଧନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଲାଗୁ ହେବ। ଏହି ଅଧ୍ୟାଦେଶ ଗତ ଜୁନ୍ ମାସରେ ଜାରି ହୋଇଥିଲା। ଗତ ମାର୍ଚ୍ଚ ୨୫ ତାରିଖ ପର ଠାରୁ ଯେଉଁମାନେ ଋଣ ଖିଲାପ କରିଛନ୍ତି, ସେମାନଙ୍କ ବିରୋଧରେ ଦେବାଳିଆ ଆଇନ ଲାଗୁ କରାଯିବ ନାହିଁ ବୋଲି ଏହି ସଂଶୋଧନରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ଏହି ସମୟ ସୀମାକୁ ବିଜ୍ଞପ୍ତି ଜାରି ମାଧ୍ୟମରେ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ଆଲୋଚନାରେ ଅଂଶଗ୍ରହଣ କରି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଦେବାଳିଆ ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ବିଲ୍ ଯୋଗୁଁ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ବିବାଦର ସମାଧାନ ପାଇଁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ-ଏନ୍‌ସିଏଲ୍‌ଟିକୁ ଯିବାକୁ ପଡିବ ନାହିଁ। ସେ କହିଛନ୍ତି, କୋଭିଡ୍‌-୧୯ ଦୃଷ୍ଟିରୁ ବ୍ୟବସାୟିକ ସଂସ୍ଥାଗୁଡିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ସଂଶୋଧନ ଅଣାଯାଇଛି।ଦେବାଳିଆ ଆଇନ ପରିଶୋଧ ହୋଇପାରୁନଥିବା ଋଣଗୁଡିକର ଆଦାୟରେ ବ୍ୟବସାୟିକ ବ୍ୟାଙ୍କଗୁଡିକୁ ବହୁମାତ୍ରାରେ ସାହାଯ୍ୟ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୮-୧୯ରେ ୪୨.୫ ପ୍ରତିଶତ ବକେୟା ଋଣ ଆଦାୟ ହୋଇପାରିଛି ତେଣୁ ଏ ବାବଦରେ ୭୭ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରାଯାଇଛି। ନିଯୁକ୍ତି କ୍ଷେତ୍ରରେ ୨୫୮ଟି କମ୍ପାନୀକୁ ସହାୟତା କରାଯାଇଥିବା ମଧ୍ୟ ସେ ଜଣାଇଛନ୍ତି। ରାଜ୍ୟସଭାରେ ଏ ସଂକ୍ରାନ୍ତୀୟ ବିତର୍କ ଆରମ୍ଭ କରି କଂଗ୍ରେସର ବିବେକ ତନ୍‌ଖା ବିଲ୍‌ର ବିଭିନ୍ନ ନିୟମ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ଓ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ସେଗୁଡିକର ପୁନିର୍ବିଚାର କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଦେବାଳିଆ ଆଇନର ଅନେକ ନିୟମ ବଡ ବଡ କମ୍ପାନୀମାନଙ୍କୁ ଲାଭ ପହଞ୍ଚାଇବ ଓ ଛୋଟଛୋଟ କମ୍ପାନୀ ଏବଂ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ କ୍ଷତି ପହଞ୍ଚାଇବ। ଟିଏମ୍‌ସିର ଦିନେଶ ତ୍ରିବେଦୀ କହିଛନ୍ତି, ଏହି ବିଲ୍‌କୁ ଏତେ ତରବରିଆ ଭାବେ ଉପସ୍ଥାପନ କରିବା ଉଚିତ୍ ନଥିଲା, ଏହାର ଉପସ୍ଥାପନ କରାଯିବା ପୂର୍ବରୁ ସବୁ ପକ୍ଷଗୁଡିକ ସହ ପୁଙ୍କାନୁପୁଙ୍ଖ ଆଲୋଚନା କରିବାର ଥିଲା। ସାଧାରଣ ଓ ଗରିବ ଲୋକଙ୍କ ହାତରେ ସରକାର ଅର୍ଥ ଦେବାକୁ ସେ ମତାମତ ଦେଇଥିଲେ ଯାହାଫଳରେ ଦେଶରେ ଚାହିଦା ବଢିବା ସହ ସରକାରଙ୍କୁ ଟିକସ ମିଳିପାରିବ। ସମାଜବାଦୀ ପାର୍ଟିର ରବି ପ୍ରସାଦ ବର୍ମା କହିଥିଲେ, ପରିଶୋଧ ହୋଇପାରିନଥିବା ଋଣ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ଓ ଜାଣିଶୁଣି ଋଣ ପରିଶୋଧ ସହ ସମ୍ପୃକ୍ତ କର୍ମଚାରୀମାନଙ୍କୁ ସମସ୍ତ କ୍ଷମତା ହସ୍ତାନ୍ତର କରାଯାଇ ନଥିବାରୁ ଏହାଦ୍ୱାରା ସମାଧାନ ସମୟରେ ଦୁର୍ନୀତି ଘଟୁଛି।

ସେହିପରି ଶିବସେନାର ଅନୀଲ ଦେଶାଇ କହିଥିଲେ କୋଭିଡ୍ ସଂକ୍ରମଣ ସମୟରେ ଅସାଧୁ ବ୍ୟକ୍ତିମାନେ ଯେପରି ସାଧାରଣ ଲୋକଙ୍କୁ ଠକି ନପାରିବେ, ସରକାର ତାହା ନିଶ୍ଚିତ କରିବା ଉଚିତ୍। ଅନ୍ୟପକ୍ଷରେ ବିଜେପିର ଅରୁଣ ସିଂହ, ଦେବାଳିଆ ଆଇନକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏନ୍‌ଡିଏ ସରକାରଙ୍କ ଅମଳରେ ବ୍ୟବସାୟ ସୁଗମତା ତାଲିକାରେ ଭାରତର ସ୍ଥାନରେ ଉନ୍ନତି ଘଟିଛି।

Leave a comment