ଆଜି ପହିଲି ରଜ,ସବୁଠି ଜମୁଛି ଖୁସିର ଆସର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆଙ୍କର ଏକ ଲୋକପ୍ରିୟ କୃଷିଭିତ୍ତିକ ପର୍ବ ରଜ । ରଜରେ ମାଟି ମା’ର ପୂଜା କରାଯାଇଥାଏ । ରଜ ବିଶେଷ କରି ୫ ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ ସଜବାଜ, ତା ପରଦିନ ପହିଲି ରଜ, ତା ପରେ ରଜ ସଂକ୍ରାନ୍ତି ଆଉ ଶେଷ ରଜ । ଆଉ ୫ମ ଦିନକୁ ବସୁମତୀ ସ୍ନାନ ବା ଭୂମିନଅଁଣ କୁହାଯାଏ ।

କାଲି ସଜବାଜ ସରିଥିବା ବେଳେ ଆଜି ସକାଳୁ ପହିଲି ରଜ ସେଲିବ୍ରେସନ ଆରମ୍ଭ କରିଛନ୍ତି ରାଜଧାନୀବାସୀ । ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକରେ ବନାରସୀ ଓ ଡିଲକ୍ସ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ ଭେରାଇଟ୍‌ର ପାନ ଓ ଏହାର ଭଳିକି ଭଳି ମସଲା ଉପଲବ୍ଧ ହେଉଛି ରାଜଧାନୀ ବଜାରରେ । ତା ସାଙ୍ଗରେ ଷ୍ଟ୍ରବେରୀ, ଚକୋଲେଟ୍‌, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରର ପାନ ସବୁଆଡେ ମିଳୁଛି । ଘରେ ଘରେ ପିଠା, ରଜ ପାନର ମହକ ବାରିହୋଇପଡୁଛି । କୁମାରୀମାନେ ନୂଆ ପୋଷକ ଓ ଚୁଡ଼ି ପିନ୍ଧି ଅଳତା, କୁମ୍‌କୁମ୍‌ ଲଗାଇ ସାଙ୍ଗସାଥୀ ସହ ଦୋଳି ଖେଳୁଛନ୍ତି । ପାନ୍ଥନିବାସରେ ଜମିଛି ରଜ ଆସର । ରଜ ଦୋଳି, ପିଠା ସାଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ରାଜଧାନୀବାସୀ ।

Leave a comment