ରଜ ଓଡ଼ିଶାର ସ୍ୱତନ୍ତ୍ର ପାରମ୍ପାରିକ ଗଣପର୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଜ ଓଡ଼ିଶାର ଏକ ସ୍ୱତନ୍ତ୍ର ପାରମ୍ପାରିକ ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ରଜ ର ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ । ରଜର ପର ଦିନକୁ ବସୁମତୀ ସ୍ନାନ ଦିବସ କୁହାଯାଏ । ଏହି ପର୍ଵ ବର୍ଷା ଋତୁର ଅଗମାନକୁ ସୂଚାଇଥାଏ । ଏହା ପରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ପହିଲି ରଜରେ ବିଭିନ୍ନ ପ୍ରକାର ପିଠା କରା ଯାଏ। ବିଶେଷ କରି ପୋଡ଼ ପିଠା, ଚକୁଳି ପିଠା ଇତ୍ୟାଦି ତିଆରି କରାଯାଇଥାଏ, ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି ।

ଆମେ ପୃଥିବୀକୁ ମାତା ଭାବରେ ବିବେଚନା କରୁ । ସମସ୍ତ ନାରୀଙ୍କ ପରି ରଜ ର ଏହି ତିନିଦିନ ପୃଥିବୀ ରଜବତୀ ହେବା ବହୁ ପୁରାତନ କାଳରୁ ଏକ ପ୍ରଥା ରହି ଆସିଛି । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।

Leave a comment