୧୫ ଯାଏଁ ପ୍ରବଳ ବର୍ଷା, ୧୬ରୁ ଖସିବ ପାରଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ବି ବର୍ଷା ଜାରି ରହିବ । ୧୩ ଓ ୧୪ ତାରିଖରେ ଭାରି ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ମଙ୍ଗଳବାର ଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି । ୧୬ରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ । ସାଟେଲାଇଟ୍ ଉତ୍ତୋଳନ କରିଥିବା ଛବିକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତ ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି ।
୧୨ରୁ ୧୫ ଯାଏ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଛି । ୧୨ରୁ ୧୫ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ । ଜିଲ୍ଲାରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।