୪ଦିନ ଘୂର୍ଣ୍ଣିଝଡ଼, ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ଏହି ଅଧିକ ସକ୍ରିୟ ହେବ । ଏହାର ପ୍ରଭାବରେ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଓଡ଼ିଶାକୁ ଏହା ପ୍ରଭାବିତ କରିବାର ସ୍ପଷ୍ଟ ସୂଚନା ନଥିଲେ ହେଁ ଏହାର ପ୍ରଭାବରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଶା ସମେତ ଅଧିକାଂଶ ଜିଲାରେ ୫୦କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଓ ଯାଜପୁରରେ କିଛି ସ୍ଥାନରେ କୁଆପଥର ବୃଷ୍ଟି ସହିତ ପ୍ରବଳ ବର୍ଷା ହେବ। ଏହାଛଡ଼ା ଅବଶିଷ୍ଟ ଜିଲାଗୁଡ଼ିକରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବର୍ଷା ହୋଇପାରେ ।
ଆସନ୍ତା ୨୬ରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ଲାଗିରହିବ। ଏଥିସହିତ ସୋନପୁର, ଅନୁଗୋଳ, ବୌଦ୍ଧ, ଢ଼େଙ୍କାନାଳ ଓ କନ୍ଧମାଳରେ ୪୦ରୁ ୫୦କିମି ବେଗରେ ପବନ ବହିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ଦେବଗଡ଼ ଓ ଅନୁଗୋଳରେ କୁଆପଥର ବୃଷ୍ଟି ଏବଂ ପ୍ରବଳ ବର୍ଷା ହେବ।
ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟାନ୍ୟ ଜିଲାରେ ୩୦ରୁ ୪୦କିମି ବେଗରେ ପବନ ଓ ବର୍ଷାର ସମ୍ଭାବନା ରହିଛି। ୨୭ତାରିଖରେ ୫ଟି ଜିଲାରେ ପ୍ରବଳ ବର୍ଷା ଓ ପବନ ସହିତ କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ୨୮ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଝଡ଼ବର୍ଷା ହେବ।