କଂଗ୍ରେସର ଜନ ଆକାଂକ୍ଷା ରାଲି, ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ରବିବାର କଂଗ୍ରେସ ପକ୍ଷରୁ ଜନ ଆକାଂକ୍ଷା ରାଲି ଆୟୋଜିତ ହୋଇଥିଲା । ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଶାସନାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିବା ବେଳେ ଏଥିରେ ରାହୁଲ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ଦର୍ଶାଇଥିଲେ । ଏଥିସହ ଦୁଇଦିନ ତଳେ ବଜେଟ୍ରେ ଦେଶର କୃଷକଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ବାର୍ଷିକ ୬ହଜାର ଟଙ୍କା ସହାୟତା ରାଶିକୁ ତୀବ୍ର ସମାଲୋଚନା କରିଥିଲେ । ରାହୁଲ କହିଥିଲେ, ମୋଦି ନିଜ ମିତ୍ରମାନଙ୍କୁ ହଜାର ହଜାର କୋଟି ଦେଇ ଦେଉଥିବା ବେଳେ କୃଷକମାନଙ୍କୁ ମାତ୍ର ସାଢ଼େ ତିନି ଟଙ୍କା ଦେଇ ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ଏଥିସହ ଏଥର କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ଭାରତୀୟଙ୍କୁ ନ୍ୟୁନତମ ରୋଜଗାର ଯୋଗାଇ ଦିଆଯିବ ବୋଲି ରାହୁଲ କହିଥିଲେ ।