ବିଜେବି କଲେଜରେ ରାଗିଂ ଘଟଣା; ୪ଜଣଙ୍କୁ ଗିରଫ କରିଛି ପୋଲିସ
ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଭିଡିଓ ଭାଇରାଲ୍ ଘଟଣା । ଘଟଣାରେ ସମ୍ପୃକ୍ତ ୪ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି । ୪ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ଯୁକ୍ତ ଦୁଇ କଳା ବିଭାଗର ଛାତ୍ର । ବଡଗଡ ଥାନା ପୋଲିସ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ପ୍ରତିଦିନ ଉକ୍ତ ଛାତ୍ର ତାଙ୍କ ପିଲାଦିନର ବାନ୍ଧବୀଙ୍କ ସହ ମିଶି କଲେଜ ଆସନ୍ତି । ବାନ୍ଧବୀଙ୍କ ବାପା ଉଭୟଙ୍କୁ କଲେଜ ନେବା ଆଣିବା କରନ୍ତି । ଯାହାକି କିଛି ବରିଷ୍ଠ ଛାତ୍ରଙ୍କ ଆଖିରେ ଯାଇନଥିଲା । ଛାତ୍ରଛାତ୍ରୀଙ୍କ ପାରିବାରିକ ସମ୍ପର୍କକୁ କେତେକ ଭିନ୍ନ ରୂପ ଦେଇଥିଲେ । ଦୁଇଦିନ ତଳେ କିଛି ଛାତ୍ର ପୀଡ଼ିତ ଛାତ୍ରଙ୍କ ନିକଟକୁ ଆସି ଧମକ ଚମକ ଦେଇଥିଲେ। ଛାତ୍ରୀଙ୍କ ସହ ନ ମିଶିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଭୟ ସୃଷ୍ଟି କରିବା ପାଇଁ ତାଙ୍କ ଚଷମା ଟାଣି ଫିଙ୍ଗିଦେଇଥିଲେ। ଭୟଭୀତ ଅବସ୍ଥାରେ ଥିବା ଛାତ୍ର ଜଣଙ୍କ ଘରକୁ ଯିବା ପରେ କଲେଜ୍ରେ ପଢ଼ୁଥିବା +୩ର ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ସେ ଆକ୍ରମଣ କରିଥିବା ଛାତ୍ରମାନଙ୍କୁ ପଚରାଉଚରା କରିଥିଲେ ।
ସମ୍ପର୍କୀୟ ଛାତ୍ରଙ୍କ ଠାରୁ ଆଶ୍ବସନା ପାଇବା ପରେ ବୁଧବାର ଦିନ କଲେଜ୍ ଯାଇଥିଲେ। ହେଲେ +୩ଛାତ୍ରଙ୍କୁ କାହିଁକି ଘଟଣା ବିଷୟରେ କହିଲ ବୋଲି କହି ଆକ୍ରମଣ କରିଥିବା ଛାତ୍ରଗୋଷ୍ଠୀ ଉତ୍କ୍ଷିପ୍ତ ହୋଇଯାଇଥିଲେ। ପୀଡ଼ିତ ଛାତ୍ରକୁ ପାନେ ଦେବାକୁ ଯୋଜନା କରଥିଲେ। ବୁଧବାର ଦିନ ତାଙ୍କୁ କଲେଜ୍ରେ ଦେଖିବା ମାତ୍ରେ ସିନିୟର ଛାତ୍ରଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଘେରିଯାଇଥଲେ। କ୍ୟାମ୍ପସରେ ଥିବା ଏକ ଗଛମୂଳ ପିଣ୍ଡିକୁ ନେଇ ସେଠାରେ ବସାଇ ଅକଥନୀୟ ନିର୍ଯାତନା ଦେଇଥିଲେ। ସମସ୍ତଙ୍କ ସାମ୍ନାରେ ଗଡ଼େଇ ତଡ଼େଇ ଗୋଇଠା, ଧକ୍କା ମାରିଥିଲେ ।
ପୀଡ଼ିତ ଛାତ୍ରଙ୍କ ବାନ୍ଧବୀ ବାରଣ କରିବାରୁ ତାଙ୍କୁ ମଧ୍ୟ ଧମକ ଚମକ ଦେବାସହ ଅଶ୍ଳୀଳ କମେଣ୍ଟ କରିଥିଲେ। କଲେଜ୍ କ୍ୟାମ୍ପସରେ ଏଭଳି ଘଟଣା ଘଟୁଥିଲେ ହେଁ ଅନ୍ୟଛାତ୍ର କିମ୍ବା କୌଣସି ଅଧ୍ୟାପକ, ଅଧ୍ୟାପିକା କେହି ରୋକିନଥିଲେ। ଆକ୍ରମଣ ଯୋଗୁଁ ଛାତ୍ର ଜଣଙ୍କ ଲହୁଲୁହାଣ ହୋଇଥିଲେ।କିଛି ସମୟ ପରେ ପୀଡ଼ିତ ଛାତ୍ରଙ୍କୁ ଆହତ ଅବସ୍ଥାରେ କେତେକ ସହପାଠୀ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। ଖବରପାଇ ବାନ୍ଧବୀଙ୍କ ବାପା ସେଠାରେ ପହଞ୍ଚି ଛାତ୍ରଙ୍କୁ ଚିକିତ୍ସା କରି ଘରକୁ ନେଇଥିଲେ ।
ଉଦ୍ବେଗର କଥା ଛାତ୍ରଙ୍କ ତୁମୁଳକାଣ୍ଡକୁ ନେଇ କଲେଜ୍ ଉଠୁଥିବା ପଡ଼ୁଥିବା ବେଳେ କଲେଜ୍ରେ ଗଠନ ହୋଇଥିବା ଆଣ୍ଟି ରାଗିଂ ଟିମ୍ର ବି ଦେଖାଦେଇନଥିଲା । ଅନ୍ୟପକ୍ଷରେ କ୍ଷଣିକ ମଧ୍ୟରେ ଛାତ୍ରଙ୍କୁ ଆକ୍ରମଣ କରାଯିବା ସମୟର ଭିଡିଓ ମୋବାଇଲରୁ ମୋବାଇଲ୍କୁ ଏବଂ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।