ରବୀନ୍ଦ୍ର ଓ ମହେଶ୍ୱର ଯିବେ ରାଜ୍ୟସଭା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ) ବିଜେଡ଼ିରେ ଖାଲିପଡିଥିବା ୪ ରାଜ୍ୟସଭା ଆସନ ପାଇଁ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା । ଚଳିତ ନିର୍ବାଚନ ପରେ ବିଜେଡ଼ି ଦଳରେ ବଢିଯାଇଛି ଅସନ୍ତୋଷଙ୍କ ସଂଖ୍ୟା ଓ ଅଭିଯୋଗର ତାଲିକା । ଅନେକ ନେତା ନିଜ ପରାଜୟର କାରଣ ଦଳର କିଛି ଆଗଧାଡ଼ିର ନେତା ଓ କର୍ମୀ ବୋଲି ଦଳର ମୁଖିଆଙ୍କ ଠାରେ ଗୁହାରି ଜଣାଇଛନ୍ତି । ତେଣୁ ଏହି ଅସନ୍ତୋଷର ଧୂଆଁ ନିଆଁ ରେ ପରିଣତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଲେଣି ଥଇଥାନ ପ୍ରକ୍ରିୟା । ରାଜ୍ୟସଭାର ଏହି ଚାରଟି ଆସନରୁ ଦୁଇଜଣଙ୍କ ନାମରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ଜଣାପଡିଛି । ସେମାନେ ହେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ।

ସୂଚନା ଅନୁଯାୟୀ, ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜର ପରାଜୟ ପାଇଁ ଦଳର ଦୁଇଜଣ ଆଗଧାଡ଼ିର ନେତା ବିଧାୟକ ଅତୁନ ସବ୍ୟସାଚୀ ନାୟକ ଓ ସୌମ୍ୟ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ରବୀନ୍ଦ୍ର ଜେନା ବିଜେପିର ପ୍ରତାପ ଶାଢଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ରବୀନ୍ଦ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଏହାର କାରଣ ଜଣାଇଥିଲେ । ରବୀନ୍ଦ୍ରଙ୍କ ଅଭିଯୋଗ ମୁତାବକ ତାଙ୍କୁ ଚିଟଫଣ୍ଡ କେସ ନେଇ ସିବିଆଇ ଡାକରା ଆସିଥିଲା । ଜେରା ମଧ୍ୟ ହୋଇଥିଲା । ତେଣୁ ରବୀନ୍ଦ୍ର ଏଥର ନିର୍ବାଚନରେ ତାଙ୍କ ବଦଳରେ ସ୍ତ୍ରୀଙ୍କୁ ଟିକେଟ ଦେବାକୁ ବାଲେଶ୍ଵର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅତନୁ ସବ୍ୟସାଚୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ଅତନୁ ଏହାକୁ କର୍ଣ୍ଣପାତ କରିନଥିଲେ । ସେହିପରି ସୌମ୍ୟ ପଟ୍ଟନାୟକ ମଧ୍ୟ ସେଠାରେ ନିଜ ପୁତୁରା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତିଙ୍କୁ ଭୋଟ ଦେବା ପାଇଁ ଭିତରୀ ସହଯୋଗ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଯାହାର ଫଳ ସ୍ୱରୂପ ସେ ପରାଜୟର ଶିକାର ହୋଇଥିବା ଦର୍ଶାଇଥିଲେ । ତେଣୁ ବାଲେଶ୍ଵରର ବିଜେଡି କର୍ମୀଙ୍କ ମନୋବଳ ଫେରାଇ ଆଣିବାକୁ ଓ ସେମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବାକୁ ରବୀନ୍ଦ୍ର ଜେନାଙ୍କୁ ରାଜ୍ୟସଭା ପଠାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିଛନ୍ତି ।

ଅପରପକ୍ଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ମଧ୍ୟ ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ କିଛି ଦଳୀୟ କର୍ମୀଙ୍କ ବିଶ୍ୱାସଘାତକତା ପାଇଁ ସେ ପରାଜୟ ବରଣ କରିଛନ୍ତି । ଯାହାକି ତାଙ୍କୁ ଓ ନିଷ୍ଠାପର କର୍ମୀଙ୍କ ମନରେ ଆଘାତ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସଭା ମଲମରେ ଏହି ଆଘାତ କିଛି ପରିମାଣରେ ପସମୀତ ହେବବୋଲି ବୁଦ୍ଧିଜୀବି ମହଲରେ ଓ ଦଳ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave a comment