୧୪ଦିନ ବଦଳରେ ୨୮ଦିନ ହେଲା କ୍ୱାରେନଂଟାଇନ୍ ଅବଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କ୍ୱାରେନଂଟାଇନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକିଁ ୧୪ଦିନ ବଦଳରେ ୨୮ଦିନ ପର୍ଯ୍ୟନ୍ତ କ୍ୱାରେନଂଟାଇନ୍ ଅବଧି ବୃଦ୍ଧି କରିବା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖପାତ୍ର ସୁବତ୍ର ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାଗଚୀ କହିଛନ୍ତି ଯେ, ଏବେଠାରୁ କ୍ୱାରେନଂଟାଇନ୍ ଅବଧି ମୋଟ୍ ୨୮ ଦିନ ରହିବ। କ୍ୱାରେନଂଟାଇନ୍ ସେଂଟର ରେ ୨୧ ଦିନ ଏବଂ ଏହା ପରେ ଆଉ ୭ ଦିନ ନିଜ ଘରେ ଆାଇସୋଲେସନ୍‌ରେ ରହିବେ । ଏହିପରି ଭାବରେ କ୍ୱାରେନଂଟାଇନ୍ ମୋଟ୍ ୨୮ ଦିନକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ କେବଳ ପଜିଟିଭ୍ ‌ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଏହି ୨୮ ଦିନିଆ ନିୟମ ଲାଗୁ କରାଯାଇଥିଲା।
ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ୨୧ ଦିନପରେ ପ୍ରବାସୀ ୭ ଦିନ ଘରେ ରହି କ୍ୱାରେନଂଟାଇନ୍ ନିୟମ ପାଳନ କରିବେ । କ୍ୱାରେନଂଟାଇନ୍ ସେଂଟରକୁ ବାହାର ଲୋକ ଯାଇପାରିବେ ନାହିଁ । କ୍ୱାରେନଂଟାଇନ୍ ସେଂଟରରେ ସିସିଟିଭି କ୍ୟାମେରା ଲାଗିବ ଏବଂ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଶ୍ରୀ ବାଗଚୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ୨୧ ଦିନ କ୍ୱାରେନଂଟାଇନ୍ ରେ ରହିବା ପ୍ରବାସୀମାନଙ୍କ ମନକୁ ବିଚଳିତ କରିପାରେ । ଏହି ସମୟକୁ ନେଇ କିଛି ପ୍ରବାସୀ ବିରକ୍ତି ପ୍ରକାଶ ମଧ୍ୟ କରିପାରନ୍ତି । କିନ୍ତୁ ଏହା ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଭଲ । ଆମେ ପାଠ ପଢ଼ିବା ସମୟରେ ବିଭିନ୍ନ କ୍ୟାମ୍ପରେ ଦିନ ବିତାଇଛେ । ଯଥା ଏନସିସି ଓ ଏନସିସି ଶିବିରରେ ଆମକୁ ରହିବାକୁ ପଡ଼ିଛି । ଶିବିରରେ ଥିବା ସମୟ ମଧ୍ୟରେ ଘର କଥା ଭାବିବାକୁ ନ ଥିଲା । ଶିବିରରେ ଆମକୁ ବଭିନ୍ନ ବିକାଶ ମୂଳକ କାମ କରିବାକୁ ପଡୁଥିଲା ।

ଶ୍ରୀ ବାଗଚୀ କହିଛନ୍ତି, କ୍ୱାରେନଂଟାଇନ୍ ରେ ଥାଇ ଯୋଗ କରିହେବ ଏବଂ ଟିଭି ମଧ୍ୟ ଦେଖିହେବ। ସରକାର ଚାହୁଁଛନ୍ତି ଯେ, କ୍ୱାରେନଂଟାଇନ୍ ରେ ରହୁଥିବା ଲୋକେ ବିକାଶମୂଳକ କାମ କରନ୍ତୁ। ଇଚ୍ଛୁକ ବ୍ୟକ୍ତି କାମ କରିପାରିବେ। ସ୍କୁଲର କାମ କରିପାରିବେ। ଗଛ ଲଗାଇପାରିବେ, ରଙ୍ଗାକାମ କରିପାରିବେ । ଯେଉଁମାନେ ଠିକ ଭାବେ କାମ କରିିବେ ସେମାନଙ୍କୁ ୧୫୦ ଟଙ୍କା ଦୈନିକ ପାରିଶ୍ରମିକ ମିଳିବ । ପ୍ରତିଟି ଲୋକଙ୍କୁ ୧୦ ଦିନ କାମ ଦିଆଯିବ । ଠିକ ଭାବରେ କାମ କରିଥିବା ଲୋକଙ୍କ ୨୦୦୦ ଟଙ୍କା ବ୍ୟତୀତ ଏହି ପାରିଶ୍ରମିକ ପାଇବେ।

Leave a comment