ପୁରୀରେ ଶ୍ରୀସେତୁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି, ଜମି ଅଧିଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ଜନଶୁଣାଣି

0

ପୁରୀ ୨୭।୧୨: ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବ ଏତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଅନେକ ବିକାଶମୂଳକ କାର୍ଯ୍ୟ। ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଶ୍ରେଷ୍ଠ ଧାମ ହୋଇଥିବାରୁ ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ତେଣୁ ଭକ୍ତ ଓ ପର୍ଯ୍ୟଟକଙ୍କ ଯିବା ଆସିବାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର। ଭକ୍ତ ଓ ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ନିର୍ମାଣ ଚାଲିଛି ଟ୍ରମ୍ପେଡ ବ୍ରିଜ ବା ଶ୍ରୀ ସେତୁ କାର୍ଯ୍ୟ। ଏହି ସେତୁ ଦ୍ବାରା ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ଆଉ ଗାଡ଼ି ଧରି ସହର ଭିତରକୁ ପ୍ରବେଶ କରିବେନାହିଁ। ଶ୍ରୀସେତୁ ଦେଇ ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ। ଖୁବ୍ ଶୀଘ୍ର ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ଅନ୍ୟପଟେ ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଥିବା ବେଳେ ବାକି ଜମି ଅଧିଗ୍ରହଣ ନେଇ ସୋମବାର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଜନଶୁଣାଣି। ଜମି ଅଧିଗ୍ରହଣ ସଂପର୍କିତ ପୁନଃବାସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ବର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ପୁନର୍ବାସ ଓ ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ। ସଂପୃକ୍ତ ଜମିର କୃଷି ଶ୍ରମିକମାନଙ୍କ ନିମନ୍ତେ ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀମାନଙ୍କ ପାଇଁ ୨୫ ହଜାର ପ୍ରଦାନର ବ୍ୟବସ୍ଥା ରହିଛି।

ସେହିଭଳି ସରକାରୀ, ଶ୍ରୀ ଜଗନ୍ନାଥଙ୍କ ଜମି ଓ ମଠ ଯାଗାରେ ବେଆଇନ ଭାବେ ଘର କରି ବାସ କରୁଥିବା ବାସିନ୍ଦାମାନଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ହିସାବରେ ସଂପୃକ୍ତ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ଭାବେ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଓ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଉକ୍ତ ଚିଠାରେ ଉଲ୍ଲେଖ ରହିଛି । ଜନଶୁଣାଣିରେ ବିସ୍ଥାପିତମାନେ ଏହି ସହାୟତା ନେଇ ସେମାନଙ୍କ ମତାମତ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଛନ୍ତି।‌

ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ଜନଶୁଣାଣିରେ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଭୂ-ଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ରବୀନ୍ଦ୍ର ପ୍ରଧାନ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଖଦେବ ସାହୁଙ୍କ ସହ ସଂପୃକ୍ତ ଅଞ୍ଚଳର ବାସିନ୍ଦାମାନେ ଉପସ୍ଥିତ ଥିଲେ ।

Leave a comment